
ନୂଆଦିଲ୍ଲୀ: ପୁଣି ବିଜେପି ଓ ଆମ୍ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ବିଶେଷ କରି ଆପ୍ ଓ ବିଜେପି ପରସ୍ପରକୁ ଜୋରଦାର ଟାର୍ଗେଟ୍ କରୁଛନ୍ତି। ଏହାରି ଭିତରେ ଆରମ୍ଭ ହୋଇଛି ପୋଷ୍ଟର ୱାର୍। ପୋଷ୍ଟର୍ ଜରିଆରେ ବିଜେପି ଆପ୍କୁ ଟାର୍ଗେଟ୍ କରିଛି ଟାର୍ଗେଟ୍। ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବିଜେପି ସାଜାଇଛି ଲୁଟେରା।
ରବିବାର ବିଜେପି ଆକ୍ରମଣାତ୍ମକ ଢ଼ଙ୍ଗରେ ଟ୍ୱିଟ୍ କରି ଏକ ପୋଷ୍ଟର୍ ଜାରି କରିଛି। ଏଥିରେ ମନୀଷ ସିସୋଦିଆଙ୍କୁ ସେ ଲୁଟେରା ବୋଲି କହିଛି। ଏହି ପୋଷ୍ଟରକୁ ନେଇ ଏବେ ହଙ୍ଗାମା ଜାରି ହୋଇଛି।
ପ୍ରକୃତରେ ୨୦୧୩ରେ ବଲିଉଡର ଫିଲ୍ମ ‘ଲୁଟେର’ ରିଲିଜ ହୋଇଥିଲା। ଯେଉଁଥିରେ ରଣବୀର ସିଂହ ଓ ସୋନାକ୍ଷୀ ସିହ୍ନା ଲିଡ୍ ରୋଲ୍ରେ ଥିଲେ। ଏହି ଫିଲ୍ମର ପୋଷ୍ଟରକୁ ଫଟୋସପ୍ କରି ଏଥିରେ ରଣବୀରଙ୍କ ସ୍ଥାନରେ ମନୀଷ ସିସୋଦିଆଙ୍କ ଫଟୋ ଲଗାଇ ବିଜେପି ତାଙ୍କୁ ଲୁଟେରା ଆଖ୍ୟା ଦେଇଛି। କେବଳ ସେତିକି ନୁହେଁ ପ୍ରଡକ୍ସନ ହାଉସର ନାଁ ମହାଠକ ସୁକେଶର ଥିବା ବେଳେ ନିର୍ଦ୍ଦେଶ ଅରବିନ୍ଦ କେଜ୍ରିୱାଲ ବୋଲି ପୋଷ୍ଟର୍ରେ ଲେଖା ଅଛି। ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିଜେପି ଆପ୍ ନେତାଙ୍କୁ ଏଭଳି ଦର୍ଶାଇଛି।
ସୁଚନାଯୋଗ୍ୟ ଯେ, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା କେଜ୍ରିୱାଲ ସରକାରଙ୍କ ନୂଆ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ। ଅଭିଯୋଗ ପରେ ସିବିଆଇ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା। ୧୪ ଘଣ୍ଟା ଧରି ଏହି ରେଡ୍ ଚାଲିଥିଲା।