ବିଜେଡି ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ଦେହାନ୍ତ

ଭୁବନେଶ୍ୱର : ବିଜେଡି ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ଦେହାନ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁଁ କିଛି ଦିନ ହେବ ବିଜୟ ରଂଜନ ସିଂହ ବରିହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ଆସି ନଥିଲା ଓ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ପରଲୋକ ହୋଇଥିଲା। ସ୍ୱର୍ଗତଃ ବରିହା ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟ୍ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ଏବଂ ୨୦୦୯ରେ ବିଜେଡି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଆସିବା ପରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ବାଜି ମାରିଥିଲେ। ସେ ପଦ୍ମପୁର ଆସନରୁ ବିଜେଡି ଟିକେଟରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୃତ୍ୟୁବେଳକୁ ସେ ଦଳର ବରଗଡ଼ ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସ୍ୱର୍ଗତଃ ବରିହାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯିବ। ତା’ପରେ ଦଳୀୟ ଅଫିସ୍କୁ ନିଆଯିବ। ସେଠାରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବା ପରେ ମରଶରୀରକୁ ପଦ୍ମପୁର ନିଆଯିବ ଓ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି।