
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ମିଳିଛି ଏକ ବଡ ସଫଳତା। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଖଲିସ୍ତାନୀ ଆତଙ୍କୀ ଗୋଷ୍ଠୀ ସହ ସାମିଲ ଥିବା ୪ ଶର୍ପ ସୁଟର୍ଙ୍କୁ ଗିରଫ କରିଛନ୍ତି। ଏମାନେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଇସାରାରେ କାମ କରୁଥିବା ସୂଚନାମିଳିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫ଟି ଚାଇନିଜ୍ ଏଚ୍ଇ ଗ୍ରେନେଡ୍ ଏମ୍ପି-୫, ଏକେ-୪୭ ରାଇଫଲ୍ ଓ ୯ଟି ସେମି-ଅଟୋମେଟିକ୍ ପିସ୍ତଲ ଜବତ ହୋଇଛି। ଏସବୁକୁ ପାକିସ୍ତାନରୁ ଡ୍ରୋନ୍ ଜରିଆରେ ପଞ୍ଜାବ ପଠାଯାଇଥିବା ପୁଲିସ କହିଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ ଡିସିପିଙ୍କ କହିବା ମୁତାବକ, ସେପ୍ଟେମ୍ବର ୨୪ ତାରିଖରେ ସରାୟା କାଲେ ଖାଁ ଅଞ୍ଚଳରୁ ଗ୍ୟାଙ୍ଗଷ୍ଟର ଲଖବିନ୍ଦର ଓରଫ୍ ମତରୁକୁ ଗିରଫ କରାଯାଇଥିଲା। ସେବେଠାରୁ ଏହି ଅପରେସନ୍ ଆରମ୍ଭ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। ତଦନ୍ତରୁ ଜଣାପଡିଛି ଯେ, ପାକିସ୍ତାନରୁ ଡ୍ରୋନ୍ ଜରିଆରେ ହତିଆର ଆସୁଛି। ଏକେ-୪୭, ଏମ୍ପି-୫ ଆସଲ୍ଟ ରାଇଫ, ଗ୍ରେନେଡ୍ ଓ ଅନେକ ହତିଆର ଜବତ ହୋଇଛି। ଗିରଫ ସମସ୍ତ ଶାର୍ପ ସୁଟର୍ ଖଲିସ୍ତାନୀ ଆତଙ୍କବାଦୀ ଲାଣ୍ଡା ହରିକେ ଓ ହରବିନ୍ଦର ରିନ୍ଦା ସହ ଜଡିତ।