
ଭୁବନେଶ୍ୱର : ଆଜି ବରମୁଣ୍ଡା ହାଇସ୍କୁଲରେ ୭୩ ତମ ବନ ମହୋତ୍ସବ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଏହ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜନ ସତ୍ତ୍ୱେ ବି ସ୍ଥାନୀୟ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଏନେଇ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ଅସୁରକ୍ଷିତ ମନେ କରୁଛନ୍ତି ନା ମୋତେ ଭୟ କରୁଛନ୍ତି ? ଏପରି କରିବା ରାଜ୍ୟ ସରକାରଙ୍କ ହୀନ ମାନସିକତା ନା ଅହଂକାର ବୋଲି ସାଂସଦ ପ୍ରଶ୍ନ କରିଛନ୍ତି। ଏହାସହ କାର୍ଯ୍ୟକ୍ରମରେ ବିନା ନିମନ୍ତ୍ରଣରେ ମଧ୍ୟ ସାଂସଦ ଯିବେ ବୋଲି କହିଛନ୍ତି। ବରମୁଣ୍ଡା ହାଇସ୍କୁଲରେ ଆୟୋଜିତ ହେବାକୁ ଥିବା ରାଜସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା,ଦୁଇ ବିଧାୟକ ଓ ଭୁବନେଶ୍ୱର ମେୟରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ନିମନ୍ତ୍ରଣ ପତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନାହିଁ। ଏପରିକି ସ୍ଥାନୀୟ ବିଜେପି କର୍ପୋରେଟରଙ୍କୁ ମଧ୍ୟ ଡକାଯାଇନି। ଖାଲି ନିମନ୍ତ୍ରଣ ପତ୍ରରେ ନୁହେଁ ବରଂ ସାଂସଦଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବି ଦିଆଯାଇନାହିଁ।