ଆଉ ନାହାଁନ୍ତି ବଙ୍ଗାଳୀ ଫିଲ୍ମ ନିର୍ଦ୍ଦେଶକ ପିନାକି ଚୌଧୁରୀ

ଆଉ ନାହାଁନ୍ତି ବଙ୍ଗାଳୀ ଫିଲ୍ମ ନିର୍ଦ୍ଦେଶକ ପିନାକି ଚୌଧୁରୀ । ଗତ ସୋମବାର ଜାତୀୟ ପୁରସ୍କାର ବିଜେତା ତଥା ବଙ୍ଗାଳୀ ଫିଲ୍ମ ନିର୍ଦ୍ଦେଶକ ପିନାକି ଚୌଧୁରୀଙ୍କ ଦେହାନ୍ତ ହୋଇଛି । କୋଲକାତା ସ୍ଥିତ ତାଙ୍କ ବାସଭବନରେ ପିନାକି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।
ସେ ଗତ କିଛିଦିନ ହେବ କର୍କଟ ରୋଗରେ ପୀଡିତ ହୋଇ ଏକ ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଜୀବନର ଶେଷ ଦିନରେ ଡାକ୍ତରମାନେ ତାଙ୍କ ବାସଭବନକୁ ନେବାକୁ ପରାମର୍ଶ ଦେଇଥିବାରୁ ତାଙ୍କୁ ତିନି ଦିନ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଖବର ପାଇବା ପରେ ପ୍ରଶଂସକ ତଥା ତାରକାମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଏହାକୁ ବଙ୍ଗଳା ସିନେମା ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି।
ପିନାକି ଚୌଧରୀ ୧୯୮୩ ମସିହାରେ ସିନେମା ଜଗତରେ ପାଦ ଦେଇଥିଲେ। ସେ ସୁମିତ୍ରା ଚାଟାର୍ଜୀ, ଆମୋଲ ପାଲେକର, ତନୁଜା, ଛାୟା ଦେବୀଙ୍କ ଅଭିନୀତ ‘ଚେନା ଅଚେନା’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେ ୧୯୯୬ ରେ ‘ଶଙ୍ଘାଥ’ ଏବଂ ୨୦୦୭ ରେ ‘ବଲିଗଞ୍ଜ କୋର୍ଟ’ ପାଇଁ ଦୁଇଟି ଜାତୀୟ ପୁରସ୍କାରରେ ସମ୍ମାନୀତ ହୋଇଥିଲେ।