ଆର୍ୟନଙ୍କ ଜାମିନ ଖାରଜ

ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ । ୭ ଅକ୍ଟୋବର ଯାଏଁ ଆର୍ୟନ ଖାନଙ୍କୁ ରିମାଣ୍ଡରେ ନେଲା ଏନସିବି । ଏବେ ଏନସିବି କଷ୍ଟଡିରେ ରହିବେ ଆର୍ୟନ । ଆର୍ୟନଙ୍କ ସହ ଅରବାଜ ଓ ମୁନମୁନ ମଧ୍ୟ ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ରହିବେ । କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିଲା ବେଳେ ଗିରଫ ହୋଇଥିଲେ ସେ ।
ଆର୍ୟନ ଖାନଙ୍କୁ ଅକ୍ଟୋବର ୧୧ ପର୍ୟ୍ୟନ୍ତ ହେପାଜତକୁ ନେବାକୁ ଆବେଦନ କରିଥିଲା ଏନସିବି । ଏନସିବି ‘ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍’ ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଫୋନରୁ ବଡ଼ ତଥ୍ୟ ପାଇଥିବା ଦାବି କରି ଅଧିକ ସୂଚନା ପାଇଁ ତାଙ୍କୁ ହେପାଜତକୁ ନେବାକୁ ଆବେଦନ କରିଥିଲା ।
ଅଦାଲତରେ ଏହାର ଶୁଣାଣି ସମୟରେ ଆର୍ୟନ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ଯୁକ୍ତି କରିଛନ୍ତି ଯେ, ଯଦିଓ ମାମଲା ଜାମିନ ବିହୀନ, ତଥାପି ଏହାକୁ ସମର୍ଥନ କରିବା ପାଇଁ ତଥ୍ୟ ଏବଂ ପ୍ରମାଣ ରହିବା ଉଚିତ୍। ଆରୟନଙ୍କ ହ୍ୱାଟସଆପ ଚାଟରେ ଆନ୍ତର୍ଜାତୀୟ ଡ୍ରଗ୍ ରାକେଟ୍ ସହ ଜଡିତ ତଥ୍ୟ ମିଳିବା ନେଇ ମନେଶିନ୍ଦେ କହିଛନ୍ତି ଯେ, “ଏନ୍ସିବି ଖାନଙ୍କ ବିରୋଧରେ ଅତ୍ୟଧିକ ଗୁରୁତର ଅଭିଯୋଗ କରୁଛନ୍ତି । କିନ୍ତୁ ଏନେଇ ପ୍ରମାଣ ଥିବା ଦରକାର । ଅଦାଲତ ଆର୍ୟନଙ୍କ ଚାଟ୍ ଦେଖିପାରିବେ । ସେଥିରେ ସେ ଡ୍ରଗ୍ ବିଷୟରେ କଥା ହୋଇନାହାନ୍ତି । ଅନ୍ୟଠାରୁ ଜବତ କରାଯାଇଥିବା ଜିନିଷ ଆରୟନଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ ନାହିଁ ।