
ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି ଯେ ବିଭିନ୍ନ କମ୍ପାନୀ ସେମାନଙ୍କର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ଉତ୍ପାଦନକୁ ତ୍ୱରାନ୍ୱିତ କରିଛନ୍ତି। ତେଣୁ ଜୁନ୍ ସୁଦ୍ଧା ୧୨ କୋଟି ପାନ ଟିକା ଉପଲବ୍ଧ ହେବାକୁ ଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ଜନସଂଖ୍ୟା, ଟିକାଦାନ ସଂଖ୍ୟାକୁ ସମୀକ୍ଷା କରାଯାଇ ଟିକା ଆବଣ୍ଟନ କରାଯାଉଛି। ଇତିମଧ୍ୟରେ ଦେଶର ଅନେକ ରାଜ୍ୟରେ ସଂକ୍ରମଣ ହାର ହ୍ରାସପାଇବା ଲକ୍ଷ୍ୟ କରାଯାଇଛି।
ଏଥିସହିତ ତାଲାବନ୍ଦ କଟକଣା ଓ ଟିକାକରଣରୁ ସୁଫଳ ମିଳିବା ଆରମ୍ଭ ହୋଇଛି। କିଛି ରାଜ୍ୟ ସେମାନଙ୍କ ତାଲାବନ୍ଦରେ ସର୍ତ୍ତମୂଳକ କୋହଳ କରିଥିବାବେଳେ ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଆଦି ରାଜ୍ୟରେ ତାଲାବନ୍ଦ ଅବଧି ବୃଦ୍ଧି କରାଯାଇଛି। ଦେଶରେ ୮୦% ଲୋକଙ୍କର ଟିକାକରଣ ପ୍ରକ୍ରିୟା ଶେଷହେବାପରେ କୋଭିଡ-୧୯କୁ ପ୍ରତିହତ କରାଯାଇପାରିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି।