ଓଡ଼ିଶାମୁଖ୍ୟ ଖବର

ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା

ଚମକିବ କୋଣାର୍କ ସୂର୍ଯ୍ୟ ମନ୍ଦିର । ବଦଳିବ ସୂର୍ଯ୍ୟ ମନ୍ଦିରର ଚାରିପାଖର ଚେହେରା । ଏଠାରେ ଆଖି ଝଲସିଲା ଭଳି ବିକାଶ ହେବ । ଉପଲବ୍ଧ ହେବ ସମସ୍ତ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ । ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ପାଇଁ ଏଠାରେ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ଏ ନବକଳେବର ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବାକୁ କାମ ଆରମ୍ଭ ପରେ କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ଆନ୍ତର୍ଜାତିକ ମାନର ଭିତ୍ତିଭୂମି କରିବାକୁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କୋଣାର୍କ ମନ୍ଦିରର ସଂରକ୍ଷଣ ତଥା ଅଧିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ପାଗ ଭିଡିଛନ୍ତି । ଏହାସହ ‘୫ ଟି’ରେ ଐତିହ୍ୟ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚିଠା ଯୋଜନା ଅନୁସାରେ, କୋଣାର୍କର ପ୍ରବେଶସ୍ଥଳରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାକୁ ସୁଦୃଶ୍ୟ ଏଣ୍ଟ୍ରିପ୍ଲାଜା ନିର୍ମାଣ କରାଯିବ । ସାଢ଼େ ୩ କିମିର ବାହ୍ୟ ରିଂ ରୋଡକୁ ଛଅ ଥାକିଆ କରାଯିବ । ମନ୍ଦିର ସମ୍ମୁଖରେ ଥିବା ୩୦ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ । ଏଠାରେ ଲ୍ୟାଣ୍ଡସ୍କେପିଂ କରାଯିବ । ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ । ଯାତ୍ରୀମାନଙ୍କୁ ନେବା ଆଣିବା କରିବାକୁ ଭୁବନେଶ୍ୱରରୁ କୋଣାର୍କ ଯାଏ ପଏଣ୍ଟର ବିକାଶ ହେବ ।

ଏଠାରେ ବସୁଥିବା ଫେରିବାଲାମାନଙ୍କୁ ପୁନଃ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ସେହିପରି ଗାଡ଼ି ପାର୍କିଂ ପାଇଁ ମଲଟି ମୋଡାଲ ହବ୍ ନିର୍ମାଣ ହେବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନର୍ବିନ୍ୟାସ ହେବ । ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହ ପଥଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ । ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରି ପାରିପାଶ୍ୱିର୍କ ବିକାଶ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ, ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ୱସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ଜଣାପଡିଛି ।କୋଣାର୍କ ଐତିହ୍ୟ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ବୈଠକରେ ୫ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପୂର୍ତ୍ତ ସଚିବ କ୍ରିଷନ କୁମାର ପ୍ରକଳ୍ପର ଉପସ୍ଥାପନା ରଖିଥିଲେ । ଏତତ୍ ବ୍ୟତୀତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।

Show More

Related Articles

Back to top button