ଦେଶ ବିଦେଶବାଣିଜ୍ୟ

କଠୋର ହେଲା ଆପଲ, ଦେବନି ଆଉ ନୂଆ ବରାଦ

ଶ୍ରମ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିବା। ଶ୍ରମିକମାନଙ୍କୁ ଠିକ୍ ସମୟରେ ଓ ସଠିକ୍ ପରିମାଣର ମଜୁରି ନଦେବା। ଓଲଟା ଶ୍ରମିକଙ୍କୁ ଶୋଷଣ କରିବା ସତ୍ତ୍ବେ ଦେଶର ଶିଳ୍ପ ପରିବେଶ ଉପରେ ଆଙ୍ଗୁଳି ଉଠାଇବା ତାଇୱାନ୍‌ର କଂପାନି ‘ୱିଷ୍ଟ୍ରନ’ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ସଂସ୍ଥା କର୍ଣ୍ଣାଟକ ଶ୍ରମ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ୫୦୦୦ ବଦଳରେ ୧୦ ହଜାର ଶ୍ରମିକଙ୍କୁ ନିଯୁକ୍ତି ଦେଇଥିଲା

ସେମାନଙ୍କୁ ଅକ୍ଟୋବର ଠାରୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରାଉଥିଲା। ଏଭଳି ଶୋଷଣ କରିବା ପରେ ମଧ୍ୟ ଦରମା ବା ମଜୁରି ଦେଉନଥିଲା। ଶୋଷଣ ଅସହ୍ୟ ହେବାରୁ ଗତ ଶନିବାର ଶ୍ରମିକମାନେ କାରଖାନାରେ ହିଂସା ଘଟାଇଥିଲେ ଯେଉଁଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ପ୍ରାରମ୍ଭିକ ସମୟରେ ଏହି ହିଂସା ପାଇଁ ଶ୍ରମିକମାନଙ୍କୁ ଦାୟୀ କରାଯାଉଥିଲା। ‌ମୂଳ ସମସ୍ୟା ସମାଧାନ କରିବା ବଦଳରେ ଭାରତର ଶିଳ୍ପ ପରିବେଶକୁ ନେଇ ୱି‌ଷ୍ଟ୍ରନ ଆଙ୍ଗୁଳି ଉଠାଇବା ସହ ସମ୍ପ୍ରସାରଣରେ ହେବାକୁ ଥିବା ନିବେଶ ବନ୍ଦ କରିବାକୁ ଧମକ ଦେଇଥିଲେ। କୌଣସି ପ୍ରକାରରେ ଏହାକୁ ନିୟନ୍ତ୍ରଣ ହରାଇଥିବା ଶ୍ରମିକମାନଙ୍କ ହିଂସାର ରୂପ ଦେବାକୁ କଂପାନି କର୍ତ୍ତୃପକ୍ଷ ପ୍ରୟାସ କରିଥିଲେ। ମାତ୍ର ସ୍ଥାନୀୟ ପ୍ରଶାସନ ଓ ଆମେରିକାର ସଂସ୍ଥା ଆପଲ୍‌ ଯାହା ପାଇଁ ଏହି ସଂସ୍ଥା ଆଇଫୋନ୍ ତିଆରି କରୁଥିଲା, ସେମାନେ ସ୍ବାଧୀନ ତଦନ୍ତ କରିବା ପରେ ୱିଷ୍ଟ୍ରନର ଅସଲ ଚେହେରା ସାମ୍ନାକୁ ଆସିଛି। ଏହି ସଂସ୍ଥା କିଭଳି ‌ଶ୍ରମିକମାନଙ୍କୁ ଶୋଷଣ କରୁଥିଲା ତାହା ଧରାପଡ଼ିଛି।

ଶ୍ରମିକଙ୍କ ପ୍ରତି କରିଥିବା ଅନ୍ୟାୟ ୱିଷ୍ଟ୍ରନ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ନିଜ ଆଡ଼ୁ ତଦନ୍ତ କରି କର୍ମଚାରୀମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ଆପଲ୍ ଜାଣିବା ପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କର୍ମଚାରୀଙ୍କୁ ଅକ୍ଟୋବର ଓ ନଭେମ୍ବର ମାସର ଦରମା ଦିଆଯାଇନଥିଲା। କଂପାନିକୁ ନୂଆ ବରାଦ ଦିଆଯିବ ନାହିଁ ବୋଲି ଆପଲ୍‌ ନିଷ୍ପତ୍ତି ନେଇଛି। ଯେପର୍ଯ୍ୟନ୍ତ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ୱିଷ୍ଟ୍ରନ୍‌କୁ ନୂଆ ବରାଦ ଦିଆଯିବ ନାହିଁ ବୋଲି ଆପଲ୍ ସ୍ପଷ୍ଟ କରିଛି। ଆପଲ୍‌ର ଏଭଳି ପଦକ୍ଷେପ ପରେ ୱିଷ୍ଟ୍ରନ୍ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି। କଂପାନି ଏହାର ଭାରତ ମୁଖ୍ୟଙ୍କୁ ହଟାଇ ଦେଇଛି। ଏଥି ସହିତ କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଲାଗି ବ୍ୟବସ୍ଥା କରି ଚାରି ପ୍ରକାର ଆଞ୍ଚଳିକ ଭା‌ଷାରେ ଶ୍ରମିକମାନେ ଯେଭଳି ନିଜର ସମସ୍ୟା ଜଣାଇପାରିବେ ସେ ନେଇ ବ୍ୟବସ୍ଥା କରିଛି। ଏଭଳି ଘଟଣାର ପୁନରାବୃତ୍ତିକୁ ଏଡ଼ାଇବା ଲାଗି ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି ବୋଲି ୱ‌ିଷ୍ଟ୍ରନ୍ ପକ୍ଷରୁ କୁହାଯାଇଛି। ଏଥି ସହିତ ସମସ୍ତ ଶ୍ରମିକଙ୍କୁ କଂପାନି କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି। ଗତ ଶନିବାରର ହିଂସାକାଣ୍ଡ ପରେ କର୍ଣ୍ଣାଟକ ଶ୍ରମ ବିଭାଗ ତରଫରୁ କରାଯାଇଥିବା ତଦନ୍ତରୁ ମଧ୍ୟ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୱିଷ୍ଟ୍ରନ୍‌କୁ ୫୦୦୦ କର୍ମଚାରୀ ନିଯୁକ୍ତ କରିବାର ଅନୁମତି ଦିଆଯାଇଥିଲା। ସେହି ନିୟମକୁ କଂପାନି ଖୋଲାଖୋଲି ଉଲ୍ଲଂଘନ କରି ୧୦,୫୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ଏତେ ସଂଖ୍ୟକ କର୍ମଚାରୀଙ୍କୁ ସମ୍ଭାଳିବା ପାଇଁ କଂପାନିର ମାନବ ସମ୍ବଳ ବିଭାଗରେ ଯଥେଷ୍ଟ ବ୍ୟବସ୍ଥା ମଧ୍ୟ ନାହିଁ। ଅକ୍ଟୋବର ଠାରୁ ଏହି ସଂସ୍ଥା କର୍ମଚାରୀଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରାଉଥିଲା।

Show More

Related Articles

Back to top button