
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବେଳକୁ ବେଳ ଭୀଷଣ ଖରା ଓ ଗୁଳଗୁଳି ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ୫ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗ ଡାଇରେକ୍ଟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଚଳିତମାସ ୬ ତାରିଖଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ୍ ରହିବ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରି ସାରିଲାଣି । ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିବାବେଳେ ତାପମାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ୫ ଦିନ ଛୁଟି ଘୋଷଣା କରାଯାଇଛି ।
ସେହିପରି ଏପ୍ରିଲ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲୁ ରହିବ । ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ନିର୍ଦ୍ଦେଶାଳୟକୁ ଏନେଇ ଅବଗତ କରାଯାଇଛି ।