ବିଧାୟକ ପଦରୁ ଇସ୍ତପା ଦେଇପାରନ୍ତି ଅଖିଳେଶ ଏବଂ ଆଜମ୍
ଦ୍ୱୀତିୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଅଖିଳେଶ ଦେଖିଥିବା ସ୍ୱପ୍ନ ଚୂନା ହୋଇଯାଇଛି

ଉତ୍ତରପ୍ରଦେଶରେ ପୁଣି ଚାଲିଲା ଯୋଗୀ ଆଦିତ୍ୟନାଥଙ୍କ ବୋଲଡୋଜର୍ । ଯୋଗୀ ହାଉଆରେ ବିରୋଧୀ ସଫା । ବିଶେଷ କରି ଦ୍ୱୀତିୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଅଖିଳେଶ ଦେଖିଥିବା ସ୍ୱପ୍ନ ଚୂନା ହୋଇଯାଇଛି । ସମାଜବାଦୀ ପାର୍ଟି ଗତ ନିର୍ବାଚନ ତୁଳନାରେ ଭଲ କରିଥିଲେ ବି ସରକାର ଗଠନଠାରୁ ବହୁ ଦୂରରେ ରହିଯାଇଛନ୍ତି ଅଖିଳେଶ । ସ୍ୱପ୍ନ ଭାଙ୍ଗିବା ପରେ ପୁଣି ଥରେ ଅଖିଳେଶ ଦିଲ୍ଲୀ ମୁହାଁ ହେବାକୁ ଯୋଜନା କରୁଛନ୍ତି । ସେ ବିଧାୟକ ପଦରୁ ଇସ୍ତଫା ଦେଇ ସାଂସଦ ରହିବାକୁ ମନ ସ୍ଥିର କରିଥିବା ଶୁଣିବାକୁ ମିଳୁଛି । କେବଳ ସେ ନୁହଁନ୍ତି, ସାମାଜବାଦୀ ପାର୍ଟିର ଅନ୍ୟତମ ତୁଙ୍ଗ ନେତା ଆଜମ୍ ଖାନ୍ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ପୂର୍ବ ପରି ସାଂସଦ ହୋଇ ରହିବାକୁ ସ୍ଥିର କରିଛନ୍ତି । ସୂଚନାଯୋଗ୍ୟ, ଏବେ ଲୋକସଭାରେ ସମାଜବାଦୀ ପାର୍ଟିର ୫ ଜଣ ସଦସ୍ୟ ରହିଛନ୍ତି । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଦେଖିଲେ ସାପା ଜାତୀୟ ସ୍ତରରେ ଦୁର୍ବଳ ହେବାକୁ ଚାହୁଁନାହିଁ । ଏମିତିରେ ଅଖିଳେଶ ଏବଂ ଆଜମ୍ ବିଧାୟକ ପଦରୁ ଇସ୍ତଫା ଦେବାକୁ ମନସ୍ତ କରିଛନ୍ତି । ଉଭୟ ଅଖିଳେଶ ଏବଂ ଆଜମ ସାଂସଦ ଥାଇ ଚଳିତ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏବେ ସେମାନଙ୍କୁ ସାଂସଦ ଭାବେ ରହିବାକୁ ହେଲେ ବିଧାୟକ ପଦରୁ ଇସ୍ତଫା ଦେବାକୁ ପଡିବ ।