Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆସୁଛି ଆଉ ଗୋଟିଏ ଲଘୁଚାପ !

ନେଇପାରେ ଅବପାତ ରୂପ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ସମ୍ଭବତଃ ଆସନ୍ତା ୩/୪ ଦିନ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଡେଲ୍‌ ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛି । ଆସନ୍ତା ଦୁଇ ସପ୍ତାହ ପାଇଁ ଆଇଏମ୍‌ଡି ଜାରି କରିଥିବା ଏକ୍ସଟେଣ୍ଡେଡେ୍‌ ଫୋରକାଷ୍ଟରେ ଏଭଳି ସମ୍ଭାବ୍ୟ ସ୍ଥିତି ବାବଦରେ ସୂଚନା ଦିଆଯାଇଛି। ଆଇଏମଡି ଇସିଏମଡବ୍ଲୁଏଫ ମଡେଲ୍‌ ଅନୁସାରେ ମେ’ ୧୩ରୁ ୧୯ ତାରିଖ ଭିତରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ । ଏହା ଅବପାତ ରୂପ ବି ନେଇପାରେ । ମାତ୍ର ଅଧିକାଂଶ ମଡେଲ୍‌ ଅବପାତ ସମ୍ଭାବନାକୁ ଖଣ୍ଡନ କରିଛି। ମାତ୍ର ଲଘୁଚାପ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । କେତେକ ବିଦେଶୀ ପାଣିପାଗ ମଡେଲ୍‌ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସୂଚାଇଛନ୍ତି । ଅନ୍ୟପଟେ ଆଇଏମଡି ମୌସୁମୀ ସମ୍ପର୍କରେ ପୂର୍ବାନୁମାନ କରିଛି । ଆଇଏମଡି ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୧୫ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ । ଯାହାକି ୫ ଦିନ ଆଗୁଆ ।

ପାଗ ଅନୁକୁଳ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ସାଧାରଣତଃ ମେ’ ୨୦ ତାରିଖବେଳକୁ ଆଣ୍ଡାମାନ ସାଗରରେ ପ୍ରବେଶ କରେ ମୌସୁମୀ । ଏଥର ମୌସୁମୀ ସଅଳ ଆସିବା ଅନୁମାନ କରାଯାଉଛି । ମାତ୍ର ଏହା ପ୍ରଭାବରେ ଓଡ଼ିଶାରେ ଯେ ମୌସୁମୀ ଶୀଘ୍ର ଆସିବ, ତାହା ଏବେଠାରୁ ଆକଳନ କରାଯାଇପାରିବନାହିଁ । ଆଇଏମଡି ସୂଚନା ଅନୁସାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବଢ଼ିବ । ମାତ୍ର ଉପକୂଳ ଓଡ଼ିଶାରେ ସ୍ଥିତି ଅପରିବର୍ତ୍ତିତ ରହିବ । ୧୯ରୁ ୨୫ ତାରିଖ ଭିତରେ ରାଜ୍ୟରେ ଗ୍ରୀଷ୍ମ କୋପ ପୁଣି ଅସହ୍ୟ ହେବ । ସେହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ ।

Show More

Related Articles

Back to top button