ଓଡ଼ିଶାଦୁର୍ଘଟଣାସ୍ୱତନ୍ତ୍ର

ଅପରେସନ ପରେ ତମ୍ପ ପେଟରୁ ବାହାରିଲା ମଦ ବୋତଲ ଠିପି

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ

ଭୁବନେଶ୍ୱର: ମଦ ଠିପି ଗିଳିଦେଲା ସାଢେ ତିନି ଫୁଟଲମ୍ବର ତମ୍ପସାପ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଭୁବନେଶ୍ୱରସ୍ଥିତ ବାସୁଆଘାଇ ଅଞ୍ଚଳର ଆଶୁତୋଷ ଦାସଙ୍କ ଘର କାମ ଚାଲୁଥିଲା । ଏହି ସମୟରେ ଶ୍ରମିକମାନେ ଏକ ଅସୁସ୍ଥ ସାପଟିକୁ ଦେଖି ଘରର ମାଲିକଙ୍କୁ ଜଣାଇଥିଲେ । ମାଲିକ ସ୍ନେକ୍‍ ହେଲପ୍ଲାଇନ୍‍ ସଦସ୍ୟଙ୍କୁ ଜଣେଇଥିଲେ। ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚି ପଟା ଭିତରେ ପଶିଥିବା ଏକ ସାଢ଼େ ୩ ଫୁଟ ଲମ୍ୱର ତମ୍ପ ସାପକୁ ଉଦ୍ଧାର କରିଥିଲେ।

ତେବେ ସାପକୁ ଧରିବା ବେଳେ ସାପଟିର ଦୁର୍ବଳ ସ୍ୱାସ୍ଥ୍ୟ  ଥିବା ସହିତ ପେଟରେ ଏକ ସ୍ଥାନରେ ଆବୁ ସଦୃଶ ଭଳି ଦୃଶ୍ୟମାନ ହେଉଥିଲା । ସାପଟି କିଛି ଖାଦ୍ୟ ଗିଳିଥିବା ସନ୍ଦେହ କରି ତାକୁ ବ୍ୟାଗରେ ଭର୍ତ୍ତି କରି ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ। ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସାପଟିକୁ ପରୀକ୍ଷା କରି କିଛି ଗୋଟେ କଠିନ ପଦାର୍ଥ ତା ପେଟ ଭିତରେ ଥିବାର ଅନୁଭବ କରିଥିଲେ।

ହେଲ୍ପଲାଇନର ସାଧାରଣ ସମ୍ପାଦକ ସାପକୁ ଓୟୁଏଟି ସ୍ଥିତ ଭେଟେରେନାରି କଲେଜକୁ ନେଇଥିଲେ। ଓୟୁଏଟିର ଭେଟେରିନାରି ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣୀ ନାଥ ସାପଟିର ଏକ୍ସରେ କରେଇଥିଲେ। ସେଥିରେ ସାପର ପେଟ ଭିତରେ କିଛି ଗୋଟେ ବଳୟ ଭଳି ପଦାର୍ଥ ଥିବା ଦେଖା ଯାଉଥିଲା। ସେଇ କଠିନ ପଦାର୍ଥକୁ କାଢ଼ିବା ପାଇଁ ଅପରେସନ୍ କରିବାକୁ ପଡିଥିଲା । ସାପକୁ ପ୍ରଥମେ ଆନାସ୍ଥେସିଆ ଦେବା ପରେ ଡାକ୍ତର ନାଥ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ଏବଂ ଅନ୍ୟ ପିଜି ଛାତ୍ର ସର୍ଜରୀ ଆରମ୍ଭ କରିଥିଲେ। ଯତ୍ନର ସହିତ ସାପଟିର ପେଟ ପାଖରେ ୨ ପରସ୍ତ କାଟିବା ପରେ ନୀଳ ରଙ୍ଗର ଏକ ପଦାର୍ଥ ଦେଖା ଯାଇଥିଲା। ଆଉ ଟିକିଏ କାଟିବା ପରେ ସେଇ କଠିନ ପଦାର୍ଥଟି ଏକ ବୋତଲର ପ୍ଲାଷ୍ଟିକ ଠିପି ବୋଲି ସ୍ପଷ୍ଟ ହୋଇଥିଲା। ଡାକ୍ତର ନାଥ ଫୋରସେପ ଧରି ଧୀରେ ଧୀରେ ସେଇ ଠିପିଟିକୁ ବାହାରକୁ ଟାଣି ଆଣିଥିଲେ। ଏହାପରେ ସାପଟିର ଅନ୍ତନଳୀକୁ ଷ୍ଟିଚ ପକେଇବା ପରେ ବାହାର ଚମଡ଼ାକୁ ସିଲେଇ କରାଯାଇଥିଲା। ସେହିପରି ସାପଟି ଆନାସ୍ଥେସିଆ ପ୍ରଭାବରୁ ମୁକ୍ତ ହେବା ପରେ ତାର ଦୁର୍ବଳ ସ୍ୱାସ୍ଥ୍ୟ ଲକ୍ଷ କରି ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଅକ୍ସିଜେନ ଦିଆଯାଇଥିଲା। ସାପଟିକୁ ଆଣ୍ଟିବାୟୋଟିକ ଏବଂ ପେନ କିଲର ଇଞ୍ଜେକ୍‍ସନ ଦିଆଯାଇଛି। ପୂରା ଅପରେସନ ସରିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିବାବେଳେ ଉକ୍ତ ଠିପିଟି ଏକ ମଦ ବୋତଲ ଠିପି ଥିଲା ବୋଲି ଜଣାପଡ଼ିଥିଲା।

ଡାକ୍ତର ଇନ୍ଦ୍ରମଣୀ ନାଥଙ୍କ କହିବା ମୁତାବକ , ଚାରି ରି ପାଞ୍ଚ ଦିନ ପରେ ତାକୁ ତରଳ ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରିଛୁ। ସାତ ଦିନ ଅବଜରଭେସନରେ ରହିବା ପରେ ଆମେ ସାପ ବିଷୟରେ କିଛି ସଠିକ କହି ପାରିବୁ। ସେହିପରି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି , ମଦ୍ୟପାନ କରୁଥିବା ବ୍ୟକ୍ତି ଏହି ସବୁ ବର୍ଜ୍ୟ ବସ୍ଥୁକୁ ଏଣେତେଣେ ନ ଫିଙ୍ଗିବା ଉଚିତ୍ ।

Show More

Related Articles

Back to top button