ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତି

ଅଧର ପଣା ନୀତି

ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱତନ୍ତ୍ରତାର ଠାକୁର। ତାଙ୍କର ସମସ୍ତ ନୀତି କାନ୍ତିରେ ଦେଖିବାକୁ ମିଳିଥାଏ ସ୍ୱତନ୍ତ୍ରତା। ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ବାହୁଡ଼ିବା ପରେ ସୁନାବେଶରେ ଦର୍ଶନ ଦେଇଥାଆନ୍ତି ରଥାରୁଢ଼ ଚତୁର୍ଦ୍ଧାମୂରତି। ମହଣ ମହଣ ସୁନାରେ ସୁସଜ୍ଜିତ ‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଅଧରପଣା ନୀତି।ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ମହାପ୍ରଭୁଙ୍କ ଅଧର ସମାନ “ଲାଉ ତୁମ୍ଭ ଭଳି” ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ସ୍ୱତନ୍ତ୍ର ଭାବେ ହେଉଥିବା ପଣା ଭୋଗ ନୀତିକୁ “ଅଧର ପଣା” କୁହାଯାଏ। ତିନି ଦିଅଁଙ୍କ ପାଖରେ ତିନିଟି ଲେଖାଏଁ ମୋଟ ଭାବେ ନଅଟି ପଣାହାଣ୍ଡି ଭୋଗ ଲାଗିଥାଏ । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି ଏହା ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ।

ଅଧରପଣାର ବିଧିଟି କ’ଣ ସେ ସଂପର୍କରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଏହି ଅଧରପଣା ହେଉଛି ଏକ ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ପଣାଭୋଗ। ଏହି ଭୋଗ ଯାହା ଏବେ ଦ୍ୱାଦଶୀ ତିଥିରେ ହେଉଛି କିନ୍ତୁ ଇତିହାସର ପୃଷ୍ଠାକୁ ଅବଲୋକନ କଲେ ଜଣାଯାଏ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ ରଥାରୂଢ଼ ଠାକୁରମାନଙ୍କୁ ଏହି ପଣା ଲାଗି କରାଯାଉଥିଲା। ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି ଠାକୁରମାନଙ୍କର ପଥକ୍ଳାନ୍ତି ଦୂର କରିବା । କାରଣ ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ କ୍ଲାନ୍ତ ଅନୁଭବ କରି ପଣା, ପାଣି ପିଇ ଟିକିଏ ସାଷ୍ଟାଙ୍ଗ ହୋଇଥାଉ ଏହା ସେହିପରି ଏକ ବିଧି।

ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା। ପରେ ଏହା ଏକାଦଶୀରେ ଓ ପରେ ଦ୍ୱାଦଶୀ ଦିନ କରାଗଲା‌। କାରଣ ଅନେକ ସମୟରେ ବାହୁଡ଼ାଯାତ୍ରାରେ ତିନି ରଥ ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା , ତେଣୁ ଦଶମୀ ପରିବର୍ତ୍ତେ ଏକାଦଶୀ ଦିନ ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଉଥିଲା ଓ ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା। କାରଣ ଏକାଦଶୀ ଦିନ ମହାପ୍ରଭୁଙ୍କ ସୁନାବେଶ ହେଉଥିବାରୁ ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତମାନେ ଆସୁଥିଲେ ଓ ତା ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ ଅଧରପଣା ନୀତି ପାଇଁ ସମୟ ଅଭାବ ହେଲା। ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା। ରାମ, କୃଷ୍ଣ ଏବଂ ମଦନମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା।

ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର ‘ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ପୁସ୍ତକର ଏକ ସ୍ୱତନ୍ତ୍ର ଲେଖାରେ ଏ ସଂପର୍କରେ ବିଶେଷ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିରର ଅବଲୁପ୍ତ ଭୋଗ: ଅମୃତକୁଣ୍ଡ’ ଶୀର୍ଷକ ଲେଖାରେ ସେ ‘ଅମୃତକୁଣ୍ଡ’ ଭୋଗ ସହ ଏହି ‘ଅଧରପଣା’ ଭୋଗର ସମ୍ପର୍କକୁ ଉପସ୍ଥାପିତ କରିଛନ୍ତି। ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀର କବି ଦୀନକୃଷ୍ଣ ଦାସ ଓ ଲୋକନାଥ ବିଦ୍ୟାଧରଙ୍କ ବର୍ଣ୍ଣନା ଆଧାରରେ ସେ କହିଛନ୍ତି ସପ୍ତଦଶ ଶତାବ୍ଦୀ ଶେଷ ଓ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭ ବେଳକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ‘ଅମୃତକୁଣ୍ଡ’ ନାମକ ଏକ ବିଶେଷ ପଣାଭୋଗ ହେଉଥିଲା ଯାହା ଆଜିର ଅଧରପଣା।

‘ନୀଳାଦ୍ରି ମହୋଦୟ’ରେ ମଧ୍ୟ ପଣାଭୋଗ ପ୍ରସ୍ତୁତିର ବର୍ଣ୍ଣନା ମିଳିଥାଏ। ସେଥିରେ କୁହାଯାଇଛି:-ପାକକାର (ମହାସୁଆ) ଦୁଇଭାଗ ଜଳ, ଏକଭାଗ ବିମଳ (ଖଣ୍ଡ ବା ନବାତ) ଏବଂ ଏକଭାଗ ଲେଖାଏଁ ସିତା(ଦୁଗ୍ଧ), ଆମିକ୍ଷା(ଛେନା), ଦୁଗ୍ଧ ସାର (ସର) ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରାଯାଏ। ସେଥିରେ କର୍ପୂର, ଗୋଲମରିଚ ଗୁଣ୍ଡ ଆଦି ମିଶାଇ ଏହି ‘ଅମୃତକୁଣ୍ଡ’ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ।ଯେତେବେଳେ ରଥମାର୍ଗ (ବଡ଼ଦାଣ୍ଡ) ସୁଗମ ନଥିଲା ସେତେବେଳେ ବଳଗଣ୍ଡି ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ।ସେହି ସମୟରେ ଏହି ‘ଅମୃତକୁଣ୍ଡ’ ନାମକ ପଣା ଭୋଗ କରାଯାଉଥିଲା। ଏବେ ସେହି ଭୋଗ ବିଲୁପ୍ତ ପ୍ରାୟ ହୋଇଗଲାଣି କିନ୍ତୁ ‘ଅଧରପଣା’ ଭୋଗରେ ତାହାର ସ୍ପର୍ଶ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଦ୍ୱାଦଶୀ ଦିନ ହିଁ ତିନିରଥରେ ତିନିଟି ଲେଖାଏଁ ହାଣ୍ଡିରେ ନଅ ହାଣ୍ଡି ଅଧରପଣା ଭୋଗ ହେଉଅଛି। ସୁନାବେଶର ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ଲାଗି ହୋଇଥାଏ। ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଇ ଆସୁଥିଲେ। ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଅଛି କିନ୍ତୁ ଅନ୍ୟ ଦୁଇ ମଠର ଅଧରପଣା ସେବା ଏ ପର୍ଯ୍ୟନ୍ତ ମଧ୍ୟ ବଳବତ୍ତର ରହିଛି ।

ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ। ସେହି ନଅ ସାମଗ୍ରୀ ହେଉଛି : କ୍ଷୀର, ସର, ଛେନା, ଛାଚି (ବା ନବାତ), ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ। ପୂର୍ବରୁ ପଣା ପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଅଛି। ପାଣିଆପଟ ସେବକମାନେ ଶୁଦ୍ଧପୂତ ଭାବରେ କୂପ ରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି। ପାଳିଆ ମହାସୁଆରମାନେ ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରିଥାଆନ୍ତି। ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼ ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ।ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ ତାପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ। ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ସେବକମାନେ କନାର ଘେର ଦେଇଥାଆନ୍ତି ତାହାପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଇ ଭୋଗ ଅର୍ପଣ କରାଯାଏ। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଖଣ୍ଡେ ଲେଖାଏଁ ଧଳା କରିକା (ଜାଲିକନା) ମଧ୍ୟ ପକାଯାଇଥାଏ। ଏହା ଜଳ ଛଣା ଉଦ୍ଦେଶ୍ୟରେ ପକାଯାଏ ବୋଲି କଥିତ ରହିଅଛି। ଏହି ପଣାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି ଭୋଗ ହେବା ପରେ ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ। ପ୍ରଭୁଙ୍କ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ଏହା ବିତରଣ ନ କରି ଏହି ପଣା ହାଣ୍ଡିକୁ ଭାଙ୍ଗି ଦିଆଯାଏ। କାହିଁକି ଏହା ଭଙ୍ଗା ଯାଏ ଏହା ନେଇ ଭିନ୍ନ ଭିନ୍ନ ମତ ଦେଖାଯାଇଥାଏ।
ଗୋଟିଏ ମତ ଅନୁସାରେ ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି ଓ ଏହା ଚୈତନ୍ୟଙ୍କ ସମୟରୁ ପ୍ରଚଳିତ ଅଛି। ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଅଛି। କିନ୍ତୁ ଅନ୍ୟ ଏକ ମତ ଅନୁସାରେ ତାନ୍ତ୍ରିକ ଧାରାର ବ୍ରତପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। କେହି କେହି ଏହି ପଣା ପ୍ରସ୍ତୁତିରେ ୪୨ଟି କଦଳୀ ଲାଗୁଥିବାରୁ ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ ଯୋଡ଼ିଥାଆନ୍ତି। ଆଉ କେତେକ ଗବେଷକଙ୍କ ମତ ଅନୁଯାୟୀ ‘ପତିତ’ ଉଦ୍ଧାର ପାଇଁ ଏହି ଅଧର ହାଣ୍ଡି ଭଙ୍ଗାଯାଇଥାଏ।ଅଧରପଣାକୁ ପତିତମାନଙ୍କ ପାଇଁ ସାଧାରଣତଃ ସମର୍ପଣ କରା ନ ଯାଇ ଉତ୍ସର୍ଗ କରାଯାଇଥାଏ।ଗବେଷକମାନଙ୍କ ମତରେ ଅଧରପଣାର ପରମ୍ପରା ପ୍ରାୟ ୪୫୦ ବର୍ଷର ପୂରାତନ ପ୍ରଥା ଅଟେ।

*ଭୋଗ ପରେ ଅଧର ହାଣ୍ଡି ଭଙ୍ଗାର ଅନ୍ୟ ଏକ ବିଶେଷତ୍ୱ ରହିଥିବାର ମଧ୍ୟ ଜଣାଯାଏ।ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥାଏ କିନ୍ତୁ ରଥର ପାର୍ଶ୍ୱ ଦେବାଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ।ମହାପ୍ରଭୁଙ୍କ ସହ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ପାର୍ଶ୍ଵ ଦେବା ଦେବୀ, ଅଶରୀରୀ ଯେଉଁ ମାନେ କି ଦୃଶ୍ୟମାନ ନ ହେଲେ ମଧ୍ୟ ଅନ୍ତର୍ଚକ୍ଷୁରେ ପ୍ରଭୁଙ୍କ ସହ ଯୁକ୍ତ ହୋଇ ପ୍ରଭୁଙ୍କ ସହ ଯାତ୍ରା କରିଥାଆନ୍ତି ସେହି ମାନଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ମହାପ୍ରଭୁ ରତ୍ନ ବେଦୀକୁ ଯିବା ପୂର୍ବରୁ ସେହି ମାନଙ୍କ ଉଦ୍ଦେଶ୍ୟରେ ଏଇ ଅଧର ପଣା ହାଣ୍ଡି ରଥ ଉପରେ ଭଙ୍ଗା ଯିବାର ବିଧି ରହିଅଛି। ଠାକୁରମାନଙ୍କୁ ଲାଗି ହୋଇଥିବା ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କ ମନରେ ଲାଳସା ରହିଥାଏ ତେଣୁ ସେମାନଙ୍କର ସନ୍ତୁଷ୍ଟି ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ।ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି।

ଅଧର ହାଣ୍ଡି ଭଙ୍ଗା ଯିବା ପରେ ଅଧର ପଣା ବିନ୍ଦୁ ବିନ୍ଦୁ ହେଇ ସମଗ୍ର ରଥ ସହ ଭୂମିଗତ ହୋଇଥାଏ। ଯାହା ଫଳରେ ସମସ୍ତ ଭୂମିଜ ଅର୍ଥାତ୍ କୀଟ, ପତଙ୍ଗ, ସରୀସୃପ ଇତ୍ୟାଦି ସମସ୍ତଙ୍କର ତୃଷା ମେଣ୍ଟିଥାଏ। ଜଗତ ରୂପୀ ପ୍ରକୃତି ଏବଂ ନାଥ ରୂପୀ ପୁରୁଷଙ୍କ ସମନ୍ୱୟରେ ସେ ଜଗତର ନାଥ “ଜଗନ୍ନାଥ”। ପ୍ରକୃତିର ସମ୍ପୁର୍ଣ୍ଣ ରକ୍ଷାର ଦାୟିତ୍ଵ ସେହି ଦାରୁବ୍ରହ୍ମଙ୍କ ହାତରେ ନ୍ୟସ୍ତ। ସେଥିପାଇଁ ମହାପ୍ରଭୁଙ୍କର ଏହି ମାନବୀୟ ଦିବ୍ୟ ଲୀଳା ଖେଳା। ଏହି ଅଧର ପଣା ସେଇ ପୂର୍ଣ୍ଣବ୍ରହ୍ମଙ୍କ ଦିବ୍ୟ ନୀତିର ଏକ କିୟଦଂଶ ମାତ୍ର। ଯେଉଁଥିରେ ମହାପ୍ରଭୁ ସମଗ୍ର ଜୀବ ଜଗତକୁ ପରିତୃପ୍ତି କରିବା ପାଇଁ ଉଦାର ଚିତ୍ତ ହୋଇ ରଥରେ ବିରାଜମାନ କରିଛନ୍ତି। ଯାହାଙ୍କ ଅଧରଂ ମଧୁରଂ….. ବଦନଂ ମଧୁରଂ…. ରୂପ ମଧୁରଂ…. ଯାହାଙ୍କ ଅଧର ଚୁମ୍ବିତ ବଂଶୀଶ୍ଵନ ଶୁଣି ଯମୁନାର ପଥର ଓ ପାଷାଣ ବି ତରଳି ଯାଉଥିଲା ଏବଂ ଏକ ବିରାଟ ରାସର ରଚନା ହୋଇ ପାରୁଥିଲା। ସେହି ମହାପ୍ରଭୁଙ୍କ ଚକା ଆଖି ପାଇଁ ଅନୁଷ୍ଠିତ ହୋଇଥାଏ ନେତ୍ରୋତ୍ସବ ଆଉ ତାଙ୍କ ସେହି ନାଲି ନାଲି ଓଠ ପାଇଁ ଅନୁଷ୍ଠିତ ହୁଏ ଅଧର ପଣାର ନୀତି।
ସେହି ଦିବ୍ୟ ପୁରୁଷଙ୍କ ଅଧରକୁ ଅନ୍ତରରୁ କୋଟି କୋଟି ପ୍ରଣାମ।

ସଂଗୃହୀତ ।
ଜୟ ପ୍ରକାଶ ।।

Show More

Related Articles

Back to top button