ପ୍ରୟାଗରାଜରେ ମହାସ୍ନାନ କଲେ ପ୍ରାୟ ୫ କୋଟି ଭକ୍ତ

ପ୍ରୟାଗରାଜ : ପବିତ୍ର ମକର ସଂକ୍ରାନ୍ତିି ଅବସରରେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଦ୍ବିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର ପ୍ରଥମ ଶାହୀ ସ୍ନାନ (ଅମୃତ ସ୍ନାନ) ଅନୁଷ୍ଠିତ ହୋଇଛି। ପ୍ରବଳ ଥଣ୍ଡା ସତ୍ତ୍ବେ ପ୍ରାୟ ୫ କୋଟି ଭକ୍ତ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିବା ଜଣାପଡିଛି। ଶାହୀ ସ୍ନାନ ତିଥିରେ ସଙ୍ଗମରେ ବୁଡ ପକାଇଲେ ସବୁ ପାପର ପ୍ରାୟଶ୍ଚିତ ଘଟୁଥାଏ ଏବଂ ପୁନର୍ଜନ୍ମ ହୁଏ ନାହିଁ ବୋଲି ପୌରାଣିକ ମତବାଦ ରହିଛି। ତେବେ ବିଧି ଅନୁଯାୟୀ ମଙ୍ଗଳବାର ନିରଞ୍ଜନି ଏବଂ ଆନନ୍ଦ ଆଖଡାର ସାଧୁମାନେ ପ୍ରଥମେ ବୁଡ ପକାଇଛନ୍ତି। ଏହାପରେ ସାଧାରଣ ଭକ୍ତଙ୍କୁ ବୁଡ ପକାଇବାର ସୁଯୋଗ ମିଳିଥିଲା। ନିରଞ୍ଜନି ଆଖଡା ପକ୍ଷରୁ ଆଧ୍ୟାତ୍ମିକ ଗୁରୁ ସ୍ବାମୀ କୈଳାସନନ୍ଦ ଗିରି ଏବଂ ଆନନ୍ଦ ଆଖଡା ତରଫରୁ ଆଚାର୍ଯ୍ୟ ମଣ୍ଡଳେଶ୍ବର ବାଳକାନନ୍ଦ ଜୀ ମହାରାଜ ସାଧୁଙ୍କ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ। ଏମାନଙ୍କ ପରେ ଅନ୍ୟ ଆଖଡାର ସାଧୁଙ୍କୁ ବୁଡ ପକାଇବାର ସୁଯୋଗ ପ୍ରଦାନ କରାଯାଇଛି। ନାଗା ସାଧୁଙ୍କ ଅାଗମନ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ହର ହର ମହାଦେବ, ଜୟ ଶ୍ରୀରାମ ଓ ଜୟ ଗଙ୍ଗା ମୈୟା ଧ୍ବନିରେ ମହାକୁମ୍ଭ ସ୍ଥଳ ପ୍ରକମ୍ପିତ ହୋଇପଡିଥିଲା।