ଇଡି ନୋଟିସକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ଅଭିଷେକ ବାନାର୍ଜୀ

କୋଲକାତା: ବୁଧବାର ଅନୁଷ୍ଠିତ ହେବ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ସମନ୍ୱୟ ସମିତି ବୈଠକ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏହି ମେଣ୍ଟର ଜଣେ ପ୍ରମୁଖ ସଦସ୍ୟ । କିନ୍ତୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅଭିଷେକ ବାନାର୍ଜୀଙ୍କୁ ବୁଧବାର ହାଜର ହେବାକୁ ନୋଟିସ ଜାରି ହୋଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଅଭିଷେକ ବାନାର୍ଜୀ । ରବିବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆ ଏକ୍ସରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ସେପ୍ଟେମ୍ବର 13 ତାରିଖରେ ହେବ । ଏହି ମେଣ୍ଟରେ ମୁଁ ଜଣେ ସଦସ୍ୟ କିନ୍ତୁ ସେହିଦିନ ପଚରାଉଚରା ପାଇଁ ହାଜର ହେବାକୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି । 56 ଇଞ୍ଚ ଛାତିର ଏହି ଡର ଦେଖି ମୁଁ ଆଚମ୍ବିତ ବୋଲି କହିଛନ୍ତି ଅଭିଷେକ ବାନାର୍ଜୀ ।
ଏଠାରେ ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଅନିୟମିତତାରେ ଗିରଫ ହୋଇଥିବା କାଲୀଘାଟର କାକୁ ତଥା ସୁଜୟ କୃଷ୍ଣ ଭଦ୍ର ଯେଉଁ କମ୍ପାନୀରେ କାର୍ଯ୍ୟ କରୁଥିଲେ ସେହି କମ୍ପାନୀର ନିର୍ଦ୍ଦେଶକ ଅଭିଷେକ ବାନାର୍ଜୀ ବୋଲି ଜଣାପଡିଛି । ତେଣୁ ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ଯାଞ୍ଚ କରିବା ପାଇଁ ନୋଟିସ ଜାରି କରିଛି ଇଡି ।