
ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ପଞ୍ଜାବର ଅମୃତସରରେ ଥିବା ଗୁରୁ ନାନକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହେଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଆଁର କରାଳ ରୂପକୁ ଆୟତ୍ତ କରିବା କଷ୍ଟସାଧ୍ୟ ହୋଇ ପଡିଛି । ସେଥିପାଇଁ ଅଗ୍ନିଶମ ବାହିନୀର ମୋଟ ୮ଟି ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଶନିବାର ଅପରାହ୍ନ ସମୟରେ ପଞ୍ଜାବର ଅମୃତସରରେ ଥିବା ଗୁରୁ ନାନକ ହସ୍ପିଟାଲ ପଛରେ ଥିବା ଏକ ଟ୍ରାନ୍ସଫର୍ମରରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ନିଆଁ ଦ୍ବିତୀୟ ମହଲାକୁ ବ୍ୟାପିଯାଇଥିଲା । ହସ୍ପିଟାଲ ପରିସର ଧୁଆଁମୟ ହୋଇଯାଇଛି । ଯାହାପରେ ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ଘଟଣାରେ କେହି ମୃତାହତ ହୋଇଥିବା ନେଇ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।