ଆଜି ବାରବାଟୀରେ ଅଭ୍ୟାସ କରିବ ଭାରତୀୟ ଟିମ୍

କଟକ: ରବିବାର ବାରବାଟୀ ଷ୍ଟାଡିୟମରେ ଚଳିତ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ରହିଛି। ଭାରତ-ଇଂଲଣ୍ଡ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ। ଏଥିଲାଗି ଗତକାଲି ଭାରତ ଏବଂ ଇଂଲଣ୍ଡ ଦଳ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ତେବେ ଆଜି ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବ। କାର୍ଯ୍ୟସୂଚୀ ଅନୁଯାୟୀ ଜୋସ୍ ବଟଲରଙ୍କ ନେତୃତ୍ଵାଧିନ ଇଂଲଣ୍ଡ ଦଳ ପୂର୍ବାହ୍ନ ୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଇଂଲଣ୍ଡ ଦଳ ବାରବାଟୀରେ ଅଭ୍ୟାସ ବଦଳରେ ଭୁବନେଶ୍ଵରରେ ଗଲ୍ଫ ଖେଳିବେ ବୋଲି ଜଣାପଡିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧିନ ଭାରତୀୟ ଦଳ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ଅଭ୍ୟାସ ଲାଗି ବାରବାଟୀ ଷ୍ଟାଡିମୟରେ ମୋଟ୍ ୬ଟି ପିଚ୍ ପ୍ରସ୍ତୁତ କରାଯାଇଛି। ପୁରୁଣା ପାଭଲିୟନ୍ ସମ୍ମୁଖରେ ଦୁଇଟି ପିଚ୍ ପ୍ରସ୍ତୁତ କରାଯାଇଥିବାବେଳେ ଗ୍ୟାଲେରୀ ନଂ ୩ ସମ୍ମୁଖରେ ଦୁଇଟି ପିଚ୍ ରହିଛି। ଏଥିସହ ମୁଖ୍ୟ ପିଚର ଉଭୟ ପାର୍ଶ୍ବରେ ଦୁଇଟି ପିଚ୍ ରହିଥିବା ଓସିଏ ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।