ବାରବାଟୀ ଦିନିକିଆ ଟିକେଟ ପାଇଁ ଲମ୍ବା ଲାଇନ

କଟକ- ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ମୁକାବିଲାକୁ ଆଉ ୪ ଦିନ ବାକି ରହିଛି। ଆଜିଠାରୁ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯେଉଁ କ୍ରିକେଟପ୍ରେମୀ ଅନଲାଇନରେ ଟିକଟ କିଣି ନପାରି ନିରାଶ ହୋଇଥିଲେ। ସେମାନେ ଷ୍ଟାଡିୟମ ନିକଟ କାଉଣ୍ଟରରୁ ଟିକଟ କିଣିପାରିବେ। ଏଥି ପାଇଁ ୫ଟି କାଉଣ୍ଟର ବ୍ୟବସ୍ଥା ହୋଇଥିବା ବେଳେ ସକାଳ ୯ଟାରେ ସମସ୍ତ କାଉଣ୍ଟର ଖୋଲିବ। ସମସ୍ତ ଗ୍ୟାଲେରୀ ଓ ଦାମୀ ଟିକଟକୁ ମିଶାଇ ମୋଟ ୧୧୦୮୦ ଟିକଟ କାଉଣ୍ଟରକୁ ବିକ୍ରି ପାଇଁ ଆସିବ ବୋଲି ଓସିଏ ଜଣାଇଛି। ତେବେ ପ୍ରଥମ ଦିନରେ କାଉଣ୍ଟର ଟିକଟ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି। ୬ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ୍ ଏବଂ ଅଢ଼େଇ ବର୍ଷ ପରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳା ଯାଉଥିବାରୁ ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମଙ୍ଗଳବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ କ୍ରିକେଟ୍ପ୍ରେମୀ ଆସି ଷ୍ଟାଡିୟମ୍ ନିକଟରେ ଭିଡ଼ ଜମାଇଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।