ଓଡ଼ିଶାରାଜନୀତିସ୍ୱତନ୍ତ୍ର

ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ସମସ୍ତ ପ୍ରସ୍ତୁତି,ଜିଲ୍ଲା ଛାଡ଼ିବାକୁ ବାହାର ଲୋକଙ୍କୁ ନିର୍ଦ୍ଦେଶ

ରାତି ପାହିଲେ ପଦ୍ମପୁର ଉପନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି ।

ଆସନ୍ତାକାଲି ନିଜର ମତ ସାବ୍ୟସ୍ତ କରିବେ ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର । ୧୨ଟି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ହେଲପ ଡେସ୍କରୁ ସାହାଯ୍ୟ ନେଇପାରିବେ । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇସାରିଛି । ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ କରିପାରିବେ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧୪୧୩ ଜଣ ପୋଲିସ କର୍ମଚାରୀ, ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି ।

ଅନ୍ୟପଟେ କୌଣସି ବିଶୃଙ୍ଖଳା ସୃଷ୍ଟି ନହେବା ପାଇଁ ଜିଲ୍ଲା ମଧ୍ୟରେ ରହିଥିବା ବାହାର ଲୋକଙ୍କୁ ଜିଲ୍ଲା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହ ନିୟମ ଉଂଲଘନ କରାଯାଏ,ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ।

ଆଗକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ‘ଏକଜିଟ୍ ଓ ଓପିନିଅନ ପୋଲ୍ ଉପରେ ଆସନ୍ତାକାଲି ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ନିଷେଧାଦେଶ ଲାଗିଛି । ଇଭିଏମରେ ତ୍ରୁଟି ଆସିଲେ ଅଧଘଣ୍ଟା ଭିତରେ ଏହାକୁ ପରିବର୍ତ୍ତନ କରାଯିବ । ମୋଟ୍ ୩୧୯ ବୁଥ୍ ମଧ୍ୟରୁ ୩୦୬ଟିର ନାମ ବଦଳିଛି । ୧୫ଟି ମଡେଲ ବୁଥ, ୬ପିଙ୍କ୍ ବୁଥର ବ୍ୟବସ୍ଥା ହୋଇଛି। ୭୯ ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି । ୧୨୦ ବୁଥରେ ଓ୍ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭିରେ ନଜର ରଖାଯିବ ।’

 

Show More

Related Articles

Back to top button