
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ ପ୍ରକ୍ରିୟା । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୧୯ ଜିଲ୍ଲାର ୮୯ ଆସନ ପାଇଁ ମତଦାନ ଚାଲିଛି। ଏହି ମତଦାନ ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ।
୨୫ ହଜାର ୪୩୪ ପୋଲିଂ ବୁଥ୍ରେ ମତଦାନ ଚାଲିଛି । ଏହିପର୍ଯ୍ୟାୟରେ ମୋଟ ୭୮୮ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମୋଟ୍ ୨ କୋଟି ୩୯ ଲକ୍ଷ ୭୬ ହଜାର ୬୭୦ ଭୋଟର । ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସାରିବାକୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ଗୁଜରାଟରେ ପ୍ରତିଥର ପାରମ୍ପରିକ ଭାବେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ୱିପାକ୍ଷିକ ଲଢେଇ ହୋଇଥାଏ। ତେବେ ଚଳିତ ଥର ଆମ୍ ଆଦମୀ ପାର୍ଟି(ଆପ୍) ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ଥିବା ବିଜେପି ଚଳିତ ଥର ମଧ୍ୟ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି।