ଆଇଫୋନ୍ ଫ୍ୟାକ୍ଟ୍ରିରେ ଆତଙ୍କ, ଜୀବନ ବଞ୍ଚେଇବା ପାଇଁ କାରଖାନ ଛାଡି ବିକଳରେ ଦୌଡିଲେ ଲୋକେ

ବେଜିଂ: ଚାଇନାର ଝାଙ୍ଗଝୋଇ ସହରରେ ଥିବା ଆଇଫୋନ୍ ଷ୍ଟ୍ରିଟ୍ ତଥା ଫ୍ୟାକ୍ଟ୍ରିରେ ଆତଙ୍କ। ଏଠାରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଚୀନ୍ ପ୍ରଶାସନ ପକ୍ଷରୁ ଏଠାରେ ଲକ୍ଡାଉନ୍ ଲାଗୁ କରାଯାଇଛି। ତେବେ ଏହାକୁ ନେଇ ଚୀନ୍ର ବୃହତ୍ତମ ଆଇଫୋନ୍ କାରଖାନା ଭାବେ ଜଣାଶୁଣା ଏହି ସ୍ଥାନର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଲକଡାଉନ୍ରୁ ବଞ୍ଚିବା ପାଇଁ ଶତାଧିକ ଶ୍ରମିକ କାରଖାନା ଛାଡି ଜୀବନ ବିକଳରେ ପଳାୟନ କରୁଛନ୍ତି। ସୂଚନା ଅନୁଯାୟୀ, ଚୀନ୍ର ଏହି ଆଇଫୋନ୍ କାରଖାନାରେ ପ୍ରାୟ ୨ ଲକ୍ଷରୁ ଅଧିକ କର୍ମଚାରୀ କାମ କରନ୍ତି। ଏଠାକାର ଆସେମ୍ବଲି ଲାଇନ୍ସରେ ମୁତୟନ କର୍ମଚାରୀମାନେ କରୋନା ସଂକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇପଡିଛନ୍ତି। ଏଥିଲାଗି ନିଜ ଜୀବନ ବଞ୍ଚାଇବା ଲାଗି କର୍ମଚାରୀମାନେ କାରଖାନା ଛାଡି ପଳାୟନ କରୁଛନ୍ତି। ଜିରୋ କୋଭିଡ ନୀତି ଅନୁସାରେ ଜାରି ହୋଇଥିବା ଲକଡାଉନ୍ ଭୟରେ କର୍ମଚାରୀମାନେ କମ୍ପାନୀର ସବୁଠୁ ବଡ ଆସେମ୍ବଲି ସାଇଟ୍କୁ ଭାଙ୍ଗି ଦେଇଛନ୍ତି। ବହୁ ଲୋକ କମ୍ପାନୀ ତାର ବାଡ ଡେଇଁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ନିଜ ଘରକୁ ଚାଲି ଚାଲି ଯାଉଛନ୍ତି। ସୋଶିଆଲ ମିଡିଆରେ ଚୀନର ଏହି ପୂରା ଘଟଣାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଅନେକ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଚୀନ୍ର ବିଭିନ୍ନ ସ୍ଥାନରେ ଲକଡାଉନ୍ ଯୋଗୁଁ ଲୋକେ ଭୋକ ଉପବାସରେ ଦିନ କାଟୁଥିବା ସୂଚନା ମିଳିଛି।