
ବାଲିଗୁଡ଼ା : ବିବାହିତା ଭାଣିଜୀକୁ ଦୁଷ୍କର୍ମ କରି ଜେଲ ଗଲା ନୃଶଂସ ମାମୁଁ। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଓରା ଅଞ୍ଚଳରେ। କୋଟଗଡ଼ ପୁଲିସ ଅଭିଯୁକ୍ତ ଦାମୋଦର ନାୟକଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି। ସୂଚନା ଅନୁଯାୟୀ, ପୀଡ଼ିତା ଜଣଙ୍କ ନିଜ ବାପ ଘରକୁ ବୁଲିବାକୁ ଆସିଥିଲେ। ଗତ ୧୯ ତାରିଖରେ ରାତିରେ ସେ ଘର ପଛପଟ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ମାମୁଁ ଦାମୋଦର ନାୟକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି କଥା ଘର ଲୋକଙ୍କୁ କହିଲେ ଜୀବନରୁ ମାରି ଦେବାକୁ ଦାମୋଦର ତାଙ୍କ ଭାଣିଜୀଙ୍କୁ ଧମକ ମଧ୍ୟ ଦେଇଥିଲେ। କିନ୍ତୁ ଭାଣିଜୀ ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ। ପରେ ପରିବାର ଲୋକ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦାମୋଦର ନାୟକଙ୍କୁ ଗତକାଲି ଗିରଫ କରି ଜେଲ ପଠାଇ ଦେଇଛି। ଦାମୋଦର ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ଛୁଆ ମଧ୍ୟ ଅଛନ୍ତି।