ଦେଶସ୍ୱତନ୍ତ୍ର

ଆସିଛି ମରତେ ଦୀପାବଳି

ବରଷକ ପରେ ଢଳି ଢଳି
ଦୀପାଳି ଜଳାଇ ଭଳି ଭଳି ।
କେଡେ ସରାଗରେ
ଆସିଛି ଦେଖରେ
ଆମ ଏ ମରତେ ଦୀପାବଳି ।।

ବାଣ ନୁହେଁ ହସ ଝର ଝର
ଝରାଇବା ଆସ ସର ସର ।
ଭେଦ ଭାବ ଭୁଲି
ପାଳିବା ପରବ
କାହାକୁ ନମଣି ଟିକେ ପର ।।

ପିଠା ପଣା ଘରେ ଜାତି ଜାତି
ଖାଉଛନ୍ତି ସବୁ ମାତି ମାତି ।
ସବୁ ଆଡେ ଆଜି
ଆନନ୍ଦ ଉଲ୍ଲାସ
ଖୁସି ମନେ ପାହିଯାଉ ରାତି ।।

ପୂର୍ବ ପୁରୁଷଙ୍କୁ ଭାଳି ଭାଳି
କାଉଁରିଆ କାଠି ଜାଳି ଜାଳି ।
ବଡ଼ ବଡୁଆଙ୍କୁ
ଡାକିଲେ ଶୁଣିବେ
ଆମେ ପରା ତାଙ୍କ ଗଳାମାଳି ।।

ଅନ୍ଧାରରେ ବାଟ କାଢି କାଢି
ଆସିବେ ସେମାନେ ମାଡି ମାଡି ।
ଅନ୍ଧାରରେ ଆସି
ଆଲୁଅରେ ଯିବେ
ବରଷକ ପାଇଁ ସ୍ମୃତି ଛାଡି ।।

ଜାଣିଥା ଗୋଟିଏ ବର୍ଷ ପରେ
ମଉଳାଙ୍କ ଶ୍ରାଦ୍ଧ ଘରେ ଘରେ ।
ଏତେ କଥା ନେଇ
ଦୀପାବଳି ଆସେ
ଆନନ୍ଦରେ ଆମ ମନ ଭରେ ।।

ବାଜା ବାଜୁଅଛି ଘନ ଘନ
ପାପୁ ବାପୁ ମନ ଛନ ଛନ ।
ମା’ କାଳୀ ଆସି
ବିଜେ ହୋଇଲେଣି
ପୂଜିବାରେ ଆସ ଦେଇ ମନ ।।

ମାଆ କାଳୀ ପାଶେ ବସି ବସି
ଆଶିଷ ମାଗିବା ହସି ହସି ।
ଦୟାକଲେ ସିଏ
ଆମ ଏ ମରତୁ
ଦୁଃଖ ଓ ଦଇନ ଯିବ ଖସି ।।

-ଭକ୍ତ ଚରଣ ସାହୁ

Show More

Related Articles

Back to top button