
ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରାଜୁ ଦାସଙ୍କୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ଧାମନଗର ଉପ-ନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ରାଜୁ ଦାସ। ଦଳର ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି। ଆଉ ଏଥି ପାଇଁ ରାଜେନ୍ଦ୍ର ଦାସଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ରାଜୁଙ୍କୁ ଦଳରୁ ବହିଷ୍କାର କରିଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସ୍ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ରାଜେନ୍ଦ୍ର ଦାସ ୨୦୦୯ରୁ ୨୦୧୪ ଯାଏଁ ଧାମନଗର ଆସନରୁ ବିଜେଡିର ବିଧାୟକ ରହିଥିବା ବେଳେ ୨୦୧୪ରେ ଟିକେଟ ପାଇନଥିଲେ । ୨୦୧୯ରେ ପୁଣିଥରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଷ୍ଣୁ ଦାସଙ୍କ ନିକଟରୁ ହାରିଥିଲେ। ପରେ ବିଜେପି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିବା ଧାମନଗର ଆସନରେ ଉପ-ନିର୍ବାଚନ ହେଉଛି। ଆଉ ସେତେବେଳେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ରାଜୁ । କିନ୍ତୁ ଦଳ ରାଜୁଙ୍କ ବଦଳରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା । ଏପରିକି ଅବନ୍ତୀଙ୍କୁ ସହଯୋଗ କରିବାକୁ ମଧ୍ୟ ରାଜୁ ଗଣମାଧ୍ୟମ ସାମ୍ନାରେ କହିଥିଲେ। ଦଳୀୟ ନିଷ୍ପତ୍ତିକୁ ସେ ମାନିଥିବା ବେଳେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ଖୁସି ଅଛନ୍ତି ଏବଂ ଅବନ୍ତୀଙ୍କୁ ବିଜୟୀ କରିବାକୁ ସମସ୍ତେ ମିଶିକାମ କାମକରିବାକୁ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ନିଜ ଆଭିମୁଖ୍ୟ ବଦଳାଇ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ।ଯାହାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳବିରୋଧୀ କାର୍ଯ୍ୟ ପାଇଁ ରାଜୁଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ।