
ନୂଆଦିଲ୍ଲୀ: କଂଗ୍ରେସ ସହ ଦୀର୍ଘ ୫୦ ବର୍ଷର ସମ୍ପର୍କଚ୍ଛିନ୍ନ କରିଥିବା ଗୁଲାମ ନବୀ ଆଜାଦ ବିଧିବଦ୍ଧ ଭାବେ ନିଜର ନୂଆ ରାଜନୀତିକ ଦଳ ଗଠନ କରିଛନ୍ତି। ଆଜାଦଙ୍କ ନୂଆ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ ପାର୍ଟି’ ରଖିଛନ୍ତି। ଆଜି ସେ ନୂଆ ରାଜନୀତିକ ଦଳ ଗଠନ କରିବା ସହ ଦଳୀୟ ପତାକାଙ୍କୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ଆଜାଦ କହିଛନ୍ତି, “ସମସ୍ତ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମକୁ ମୁଁ ମୋର କୃତଜ୍ଞତା ଜଣାଉଛି। ଆମେ ସବୁବେଳେ ସ୍ୱାଧୀନ ଚିନ୍ତାଧାରା ଓ ନୀତିକୁ କାଏମ ରଖିବୁ। ଆମ ଦଳ ସବୁବେଳେ ଗଣତାନ୍ତ୍ରିକ ପାର୍ଟି ହୋଇ ରହିବ। ଏବେ ଆମ ଦଳର ପଞ୍ଜୀକରଣ କରିବା ହିଁ ସବୁଠାରୁ ବଡ଼ କାମ। ନିର୍ବାଚନ ଯେକୌଣସି ସମୟରେ ହୋଇପାରେ। ଆମ ଦଳ ଏଯାଏ ପଞ୍ଜୀକରଣ ହୋଇନାହିଁ। ତେଣୁ ଏହାକୁ ପଞ୍ଜୀକରଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଆମର ରାଜନୀତିକ କାର୍ଯ୍ୟକଳାପ ମଧ୍ୟ ଜାରି ରହିବ। ଆଜାଦଙ୍କ ପାର୍ଟିର ପତାକରେ ବ୍ଲ୍ୟୁ, ଧଳା ଓ ହଳଦିଆ ରଙ୍ଗ ରହିଛି। ଆଜାଦ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପାଖକୁ ଉର୍ଦ୍ଦ୍ୱୁ ଓ ସଂସ୍କୃତ ଭାଷାରେ ଦଳର ନାଁ ପାଇଁ ୧୫ଶହ ପ୍ରସ୍ତାବ ଆସିଥିଲା। ହିନ୍ଦୀ ଓ ଉର୍ଦ୍ଦ୍ୱୁର ମିଶ୍ର ହେଉଛନ୍ତି ‘ହିନ୍ଦୁସ୍ତାନ’। ଆମେ ଆମ ଦଳର ନାଁ ଡେମୋକ୍ରାଟିକ, ଶାନ୍ତିପୂର୍ଣ୍ଣ ଓ ସ୍ୱାଧୀନ ଚିନ୍ତାଧାରାରେ ରଖିଛୁ। ଏଥିପାଇଁ ଆମ ସଂଗଠନର ନାଁ ଡେମୋକ୍ରାଟିକ ଆଜାଦ ପାର୍ଟି ରହିଛି। ଆଜି ନୂଆ ଦଳ ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ଆଜାଦ ରବିବାର ତାଙ୍କ ସହ ରହିଥିବା କର୍ମୀ ଓ ନେତାମାନଙ୍କ ସହ ବୈଠକ କରିଥିଲେ। ଆଜାଦ କହିଛନ୍ତି, “ଆମ ରାଜନୀତି ଜାତି କିମ୍ବା ଧର୍ମ ଭିତ୍ତିକ ରହିବ ନାହିଁ।