
ଭୁବନେଶ୍ୱର : ବନ୍ଦ ଘର ଭିତରୁ ଉଦ୍ଧାର ହେଲା ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜଗତସିଂହପୁର ତିର୍ତ୍ତୋଲ ଗୋରାଡ ଗାଁର ସିଦ୍ଧାର୍ଥ ନାୟକ। ସିଦ୍ଧାର୍ଥ ଖୋର୍ଦ୍ଧା ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ। ୨୦ ଦିନ ହେବ ଏଠାରେ ଘରଭଡା ନେଇ ରହୁଥିଲେ। ଖବର ପାଇବା ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୁଲିସ। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ପୁଲିସ କିମ୍ବା ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନା ଅନୁସାରେ, ରାଜଧାନୀରେ ଛାତ୍ର ଓ ଛାତ୍ରୀଙ୍କ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ବଢ଼ି ଚାଲିଛି। ହେଲେ ଏହାକୁ ରୋକିବାକୁ ସରକାରୀ ପ୍ରୟାସ ସଫଳ ହୋଇପାରୁନି। ପାଠପଢ଼ିବାକୁ ଆସି ଛାତ୍ରଛାତ୍ରୀମାନେ କୌଣସି ନା କୌଣସି ମାନସିକ ଚାପର ବଶବର୍ତ୍ତି ହୋଇ ଆତ୍ମହତ୍ୟା କରୁଛନ୍ତି।