
5T ଉପକ୍ରମରେ ରୂପାନ୍ତରିତ ହେବ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ବା ଭିସୁଟ । IIT ଓ NIT ସହିତ ହେବ ସମକକ୍ଷ । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ଅନୁମୋଦନ କରିଛନ୍ତି ନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦୨୬ ସୁଦ୍ଧା ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨ ହଜାର କୋଟି ଖର୍ଚ୍ଚ ହେବ। ୨୭ଟି ସେଣ୍ଟର ଅଫ ଏକ୍ସଲେନ୍ସ ଗଠନ କରାଯିବ। ଡିସେମ୍ବର ଶେଷ ସୁଦ୍ଧା ସରିବ ସ୍ମାର୍ଟକ୍ଲାସ ରୁମ ନିର୍ମାଣ କାମ।
ମାଷ୍ଟରପ୍ଲାନ ଅନୁଯାୟୀ, ୨୦୩୦ ସୁଦ୍ଧା ଭିସୁଟକୁ ଏକ ମଲ୍ଟି ଡିସିପ୍ଲିନାରି ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି ଭାବେ ଏହାକୁ ବିକଶିତ କରାଯିବ । ଏଥିରେ ସ୍କୁଲ ଅଫ ଇଞ୍ଜିନିୟରିଂ, ଦକ୍ଷତା ବିକାଶ କେନ୍ଦ୍ର, ସ୍କୁଲ ଅଫ ମେଡିକାଲ ଟେକ୍ନୋଲୋଜି ଓ ସ୍କୁଲ ଅଫ ବେସିକ ସାଇନ୍ସ ପରି ୭ଟି ସ୍କୁଲ ରହିବ ।
ବର୍ତ୍ତମାନ ଭିସୁଟରେ ୨ହଜାର ୮୪୯ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବରେଟୋରୀ, ପ୍ରଫେସରମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ । ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବରେଟୋରୀ ସୁବିଧା ଉପଲବ୍ଧ ହେବ । ଅତି କମରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ ।
ସୂଚନା ଯୋଗ୍ୟ, ଗତ ଅଗଷ୍ଟରେ ମୁଖ୍ୟ ଶାସନ ସଚିବ, ଫାଇଭ-ଟି ସଚିବ ବୁର୍ଲା ଗସ୍ତରେ ଯାଇ ଭିସୁଟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।