ଦୁର୍ଘଟଣାଦେଶ ବିଦେଶପାଣିପାଗମୁଖ୍ୟ ଖବର

ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ ୨ ଗୁରୁତର ଆହାତ

ଲକ୍ଷ୍ନୌ: ଲଘୁଚାପ ଜନିତ ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହାତ ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଦିଲକୁଶା ଅଞ୍ଚଳରେ। ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ସୂଚନାମିଳିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ସମୟର ତହନ୍ତ ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ ୯ଟା ବେଳକୁ ଶେଷ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏସବୁ ଭିତରେ ଆଜି ସକାଳୁ ଲୋକମାନେ ଆଶ୍ରୟ ନେଇଥିବା ଗୋଟିଏ ଘରର ବିରାଟ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଯୁଗ୍ମ କମିଶନର ଅଫ ପୁଲିସ୍‌(ଆଇନ ଶୃଙ୍ଖଳା) ପୀୟୂଷ ମୋରଡିଆ କହିଛନ୍ତି, “ଦିଲକୁଶା ଅଞ୍ଚଳରେ ଥିବା ଗୋଟିଏ ଆର୍ମି ଏନକ୍ଲେଭ ବାହାରେ କିଛି ଶ୍ରମିକ ମାଟି ଘର ମଧ୍ୟରେ ରହୁଥିଲେ। ତେବେ ରାତି ସାରା ବର୍ଷା ଲାଗି ରହିବାରୁ ଆର୍ମି ଏନକ୍ଲେଭର ବାଉଣ୍ଡରୀ କାନ୍ଥ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଶ୍ରମିକମାନେ ରହୁଥିବା ଘର ଉପରେ ପଡ଼ି ଯିବାରୁ ଏହା ତଳେ ପ୍ରାୟ ୧୧ ଜଣ ଲୋକ ଚାପି ହୋଇରହିଥିଲେ।ଖବର ପାଇ ଆମେ ରାତି ପ୍ରାୟ ୩ଟା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଧ୍ୱଂସାବଶେଷ ତଳୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୁରକ୍ଷିତ ଉଦ୍ଧାର ହୋଇଥିବା ୨ ଜଣଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନେ ବିପଦ ମୁକ୍ତ ରହିଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୪ ଲକ୍ଷ ଓ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଆଜି ଭୋର ୪ଟାରେ ହଠାତ୍‌ ଗୋଟିଏ ନୋଟିସ୍‌ ଜାରି କରାଯାଇ ରାଜ୍ୟରେ ଥିବା ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଆଜି ଉତ୍ତର ପ୍ରଦେଶର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ଥିବା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

Show More

Related Articles

Back to top button