
ଦିନକୁ ଦିନ ହଜିଯାଉଛି ମାନବିକତା । ମରିଯାଉଛି ମଣିଷପଣିଆ । ସାମାନ୍ୟ ବଚସାକୁ ନେଇ ସ୍ୱାମୀ ଘଟାଇଲେ ଉନ୍ମତ୍ତ କାଣ୍ଡ । ନିଜ ପତ୍ନୀଙ୍କ ଲୁଗାପଟାରେ ନିଆଁ ଲଗାଇଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୋଟା ଗାଁ ଅଞ୍ଚଳରେ ।
ସୂଚନା ଅନୁଯାୟୀ, ତୋଟା ଗାଁର ବିଭୁତି ସାହୁ ଏବଂ ଦମୟନ୍ତୀ ସାହୁ ଉଭୟ ଏକତ୍ର ବାସ କରନ୍ତି । ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଶେଷରେ ସ୍ୱାମୀ ବିଭୁତି ଉତକ୍ଷିପ୍ତ ହୋଇ ନିଜ ପତ୍ନୀଙ୍କ ଲୁଗାପଟାରେ ନିଆଁ ଲଗାଇଦେଇଥିଲେ।ଫଳରେ ନିଆଁ ସାରାଘରେ ଲାଗି ଯାଇଥିଲା । ଏହା ଦେଖି ସ୍ତ୍ରୀ ଦମୟନ୍ତୀ ତୁରନ୍ତ ଗମ୍ଭାରୀମୁଣ୍ଡା ବିଟ ହାଉସ ଯାଇ ସ୍ୱାମୀ ବିରୋଧରେ ଏତଲା ଦେଇଥିବା ବେଳେ ଅପରପକ୍ଷେ ସ୍ୱାମୀ ବିଭୁତି ଘରେ ନିଆଁ ଲାଗିଯାଇଥିବାର ଖବର ବାଣପୁର ଅଗ୍ନିଶମ ବାହିନୀକୁ ଦେଇଥିଲେ।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଦୀର୍ଘ ସମୟ ଚେଶ୍ଟା କରିଥିଲେ । ତେବେ ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ, ପାଖପାଖି ଏକ ଲକ୍ଷ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଛି । ଅନ୍ୟ ପକ୍ଷରେ ଫେରାର ଅଭିଯୁକ୍ତ ବିଭୁତିଙ୍କୁ ପୋଲିସ ଖୋଜିବାରେ ଲାଗିଛି।