ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବକି ଶିବସେନା?
ସାଂସଦଙ୍କ ଦାବୀରେ ଉଦ୍ଧବ କହିଲେ ଏହି କଥା

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଶିବସେନା ପ୍ରସ୍ତୁତିରେ ଲାଗିପଡ଼ିଛି। ଶିବସେନାର ଦଳୀୟ ବୈଠକରୁ ଏନେଇ ସଙ୍କେତ ମିଳିଛି। ଶିବସେନାର ସାଂସଦ ଗଜାନନ କୀର୍ତ୍ତିକାର କହିଛନ୍ତି ବୈଠକରେ ସାଂସଦମାନେ ଏବିଷୟରେ ଦାବି କରିଛନ୍ତି। ଗୋଟିଏ ଦୁଇଦିନ ଭିତରେ ଏ ବିଷୟରେ ନିଷ୍ପତ୍ତି ନେଇ ତାଙ୍କୁ ଜଣାଇବା ପାଇଁ ଉଦ୍ଧବ ଠାକରେ ସାଂସଦମାନଙ୍କୁ କହିଛନ୍ତି ବୋଲି ଗଜାନନ କହିଛନ୍ତି। ସେ ଆହୁରି କହିଛନ୍ତି ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ହୋଇ ପାରନ୍ତି କିନ୍ତୁ ସେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ଓ ଜଣେ ମହିଳା। ସେଥିପାଇଁ ଶିବସେନା ସାଂସଦମାନଙ୍କର ମତହେଉଛି ସେମାନେ ମୁର୍ମୁଙ୍କୁ ସମର୍ଥନ କରିବା ଦରକାର।
ସୂଚନାଥାଉକି, ମହାରାଷ୍ଟ୍ରରେ ବଦଳୁଥିବା ରାଜନୈତିକ ପାଣିପାଗରେ ବିଜେପି ଓ ଶିବସେନାର ସମ୍ପର୍କ ଏବେ ପୂର୍ବ ଭଳି ନାହିଁ। ଏକାନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ବିଧାୟକମାନଙ୍କର ବିଦ୍ରୋହ ପରେ ମହାରାଷ୍ଟ୍ରରେ ମହାବିକାସ ଅଘାଡ଼ୀ ମେଣ୍ଟର ସରକାର ଧରାସାୟୀ ହୋଇଛି। ଏହାପରେ ଶିବସେନାର ବିଦ୍ରୋହି ବିଧାୟକ ଓ ବିଜେପି ବିଧାୟକ ମିଶି ସରକାର କରିଛନ୍ତି। ଏପରି ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଶିବସେନା ସାଂସଦମାନଙ୍କ ଦ୍ୱାରା ଯଦି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯାଏ ତାହେଲେ ଏହା ଆଶ୍ଚର୍ଯ୍ୟଜନକ କଥା ହେବ। ଆଜି ଶିବସେନା ସାଂସଦମାନଙ୍କ ବୈଠକରେ ଏନେଇ ଦାବି କରାଯାଇଛି।