ଓଡ଼ିଆ ଗଳ୍ପଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତି
ବାହୁଡ଼ିଲେ ଶ୍ରୀକ୍ଷେତ୍ରମଣି

ବାହୁଡ଼ିଲେ ଶ୍ରୀକ୍ଷେତ୍ରମଣି
ସଙ୍ଗେ ଧରି ଭାଇ ଭଉଣୀ
ନବ ବିବାହିତା ପତ୍ନୀ ଶ୍ରୀମନ୍ଦିରେ
ମାଉସୀ ମାଆଠୁ ନେଲେ ମେଲାଣି
ଚାଲ ଯିବା ଦେଖି ମିତଣୀ।
ଜନ୍ମସ୍ଥାନ ପରିଭ୍ରମଣ
ଗୁପ୍ତ ରାସ ସୁସମାପନ
ଲକ୍ଷ୍ମୀ ରୋଷ ମୁଖ ଦିଶେ ଜକଜକ
ସୁସଜ୍ଜିତ ରଥ ମୋଡ଼ ନେଲାଣି।
ଚାଲ ଯିବା
ଜନ୍ମବେଦୀ ପଡ଼ିବ ଶୂନ୍ୟ
ମାଉସୀମା ମୁଖ ମଳିନ
ପୋଡ଼ ପିଠା ଖାଇ ଫେରିବେ କହ୍ନେଇ
ଭକତଙ୍କ ମେଳେ ଦେଖାଇ ଠାଣି।
ଚାଲ ଯିବା
କ୍ଳେଶ ତାପ କଳୁଷ ହରି
ବଡ଼ଦାଣ୍ଡେ କୁଞ୍ଜ ବିହାରୀ
ରାସ ରାସେଶ୍ୱର ରାଇ ହୃଦଚୋର
ଭକ୍ତଙ୍କୁ ଦର୍ଶନେ କୃପା ଚାହାଣୀ।
ଚାଲ ଯିବା
ନନ୍ଦିଘୋଷେ ତ୍ରିଲୋକରାଜା
ଶିରେ ଶିରୀ ଶିରିପା ସଜା
ପ୍ରଥମ ସେବକ ସୁନା ଖଡ଼ିକାରେ
ଛେରା ପହଁରିବେ ଉଭା ହେଲେଣି
ଚାଲ ଯିବା
ନବଦିନ ଏ ମହାଯାତ
ଉଲ୍ଲସିତ ସାରା ଜଗତ
ଫେରି ଆସ ନାଥ ନୀଳଚକ୍ର ଡାକେ
ରତ୍ନବେଦୀ ଝୁରେ ଗୁଣ ବଖାଣି।
ଚାଲ ଯିବା ଦେଖି ମିତଣି
ବାହୁଡିଲେ ଶ୍ରୀକ୍ଷେତ୍ରମଣି ।
ଗୀତାଞ୍ଜଳି ଭୂୟାଁ, ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟା, ସରସ୍ୱତୀ ବିଦ୍ୟାମନ୍ଦିର, ସାଲେପୁର।