ବାହାଘର ପୂର୍ବରୁ ଜେଲ୍ ଗଲେ ଭାବୀ ସ୍ୱାମୀ

ବାହାଘର ପାଇଁ ସବୁ କିଛି ପ୍ରସ୍ତୁତି ସରିଥିଲା । ଆଉ କିଛି ଦିନ ପରେ ହାତଗଣ୍ଠି ପଡ଼ିଥାଆନ୍ତା। ଉଭୟଙ୍କର ନିର୍ବନ୍ଧ ବି ସାରିଥିଲା। କିନ୍ତୁ ବିଧିର ବିଧାନ ବୋଧେ କିଛି ଅଲଗା ଥିଲା। ଏଥିପାଇଁ ବାହାଘର ପୂର୍ବରୁ ଜଣାପଡ଼ି ଯାଇଛି ଯେ, ଭାବୀ ସ୍ୱାମୀର ଅସଲ ଚେହେରା। ସେ ଜଣେ ମହାଠକ ବୋଲି ଜଣାପଡ଼ିବା ପରେ ନିଜେ କନ୍ୟା ହିଁ ତାଙ୍କ ହାତରେ ହାତକଡ଼ି ପିନ୍ଧାଇଛନ୍ତି। କାରଣ ସେ ମହାଠକ ଜଣଙ୍କ ଯାହାକୁ ବାହା ହେବାକୁ ଯାଉଥିଲେ ସେ ଜଣେ ପୁଲିସ୍ ଅଧିକାରୀ। ଆସାମ ପୁଲିସର ଲେଡି ସିଂହମ ନାଁରେ ପରିଚିତ ଜୁନମୋନି ରାବହାଙ୍କ ଏପରି ପଦକ୍ଷେପ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ଆସାମର ନାଗାଓଁ ପୁଲିସ୍ରେ କାମ କରୁଥିବା ଜୁନମୋନିଙ୍କ ବାହାଘର ରାଣା ପୋଗାଗଙ୍କପ ସହ ଠିକ୍ ହୋଇଥିଲା। ଗତବର୍ଷ ଅକ୍ଟୋବରରେ ଉଭୟ ନିର୍ବନ୍ଧ ମଧ୍ୟ କରିଥିଲେ। ଚଳିତ ବର୍ଷ ନଭେମ୍ବର୍ରେ ସେମାନେ ବାହା ହୋଇଥାଆନ୍ତେ। କିନ୍ତୁ ପୋଗାଗ ଜଣେ ମହାଠକ ବୋଲି ଜଣାପଡ଼ିଛି। ସେ ଓଏନଜିସିରେ ଚାକିରୀ କରାଇ ଦେବା ନାଁରେ ଅନେକ ଲୋକଙ୍କ ଠାରୁ କୋଟିକୋଟି ଟଙ୍କା ଲୁଟ୍ କରିଛନ୍ତି। ସେ ନିଜକୁ ଓଏନଜିସିର କର୍ମଚାରୀ ବୋଲି ପରିଚୟ ଦେଉଥିଲେ। ଏହାପରେ ଲୋକଙ୍କୁ କମ୍ପାନୀରେ ଚାକିରୀ ଦେବେ ବୋଲି କହି ଟଙ୍କା ଖାଉଥିଲେ । ଦୀର୍ଘ ବର୍ଷ ହେଲା ସେ ଏପରି କରୁଥିଲେ ମଧ୍ୟ କେହି କିଛି ବି ଜାଣି ପାରୁ ନଥିଲେ। ଏସବୁ ଭିତରେ ସେ ଜୁନମୋନିଙ୍କ ସହ ପରିଚିତ ହୋଇଥିଲେ। ନିଜକୁ ସେ ପବ୍ଲିକ ରିଲେସନ ଅଫିସର ଭାବେ ପରିଚୟ ଦେଇଥିଲେ। ଜୁନମୋନି ନାଗାଓଁର ସବ ଇନସପେକ୍ଟର ଥିବା ବେଳେ ପୋଗାଗ ତାଙ୍କୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରିଥିଲେ। କିଛି ଦିନର କଥାବାର୍ତ୍ତା ପରେ ଉଭୟ ଗତବର୍ଷ ଅକ୍ଟୋବର ମାସରେ ନିର୍ବନ୍ଧ କରିଥିଲେ। ଚଳିତ ବର୍ଷ ନଭେମ୍ବରରେ ଉଭୟ ବିବାହ କରିବେ ବୋଲି ସ୍ତିର ହୋଇଥିଲା । ହେଲେ ହଠାତ୍ ଜୁନମୋନିଙ୍କ ପାଖରେ ପୋଗାଗଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପହଞ୍ଚିଥିଲା। ସେ ଜଣେ ମହାଠକ ବୋଲି ଜଣାପଡ଼ିବା ପରେ ନିଜେ ଜୁନମୋନି ତାଙ୍କ ନାଁରେ ଏଫଆଇଆର ଲେଖିଥିଲେ। ଶେଷରେ ପୋଲିସ୍ ତାଙ୍କୁ ଗୁରୁବାର ଗିରଫ କରିଛି। ଏହି ଘଟଣାରେ ଜୁନମୋନି ମଧ୍ୟ ସାମିଲ ଥିଲେ। ପୋଗାଗଙ୍କ ଗିରଫଦାରୀ ପରେ ଜୁନମୋନି କହିଛନ୍ତି, “ରାଣା ପୋଗାଗଙ୍କ ସମ୍ପର୍କରେ ମୋ ପାଖରେ ସୂଚନା ପହଞ୍ଚାଇଥିବା ୩ ଜଣ ଲୋକଙ୍କ ପାଖରେ ମୁଁ କୃତଜ୍ଞ। ସେ ଜଣେ ମହାଠକ। ସେହି ୩ ଜଣ ଲୋକ ମୋ ଆଖି ଖୋଲି ଦେଇଛନ୍ତି।”