ଚୀନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ,୪୭ଟି ନୂଆ ବିପିଓ ନିର୍ମାଣ କରୁଛି ଭାରତ
ପ୍ରଥମ ପର୍ଯ୍ୟାୟରେ ୨୫ଟି ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଛି।

ଏଲଏସିରେ ଚୀନର ଅନୁପ୍ରବେଶକୁ ରୋକିବାକୁ ସୀମା ସୁରକ୍ଷା ବଢାଉଛି ଭାରତ। ଚୀନକୁ ରଣନୈତିକ ରୂପରେ କଡ଼ା ଜବାବ ଦେବାକୁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହେଉଛି ଭାରତ। ଏଥିପାଇଁ ଏଲଏସିରେ ୪୭ଟି ନୂଆ ବିଓପି ଓ କେତେକ ମୁଖ୍ୟ ସଡ଼କ ନିର୍ମାଣ କାମ ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୨୫ଟି ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାପରେ ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ୟ ୩୨ଟି ସଡ଼କ ନିର୍ମାଣ କାର୍ଯ୍ୟ ଚାଲିବ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନାନୁଯାୟୀ, ଲଦ୍ଦାଖ ବ୍ୟତୀତ ଅରୁଣାଚଳ ପ୍ରଦେଶରେ ୧୮ ଫୁଟ ଟ୍ରାକ୍ ନିର୍ମାଣ କରାଯାଉଛି। ଏହି ଅଞ୍ଚଳରେ ପାଦରେ ଚାଲିଚାଲି ଯିବା ଅସମ୍ଭବ ହୋଇପଡ଼ୁଥିଲା। ଏବେ ରାସ୍ତା ନିର୍ମାଣ ହେବା ପରେ ଏହି ଦୁର୍ଗମ ଅଞ୍ଚଳକୁ ସହଜରେ ଯୋଗାଯୋଗ ହୋଇପାରିବ। ସେହିପରି ୪୭ଟି ନୂଆ ଆଇଟିବିପି ସୀମା ଚୌକିର ବିକାଶ କରାଯିବ। ୧୨ଟି ଷ୍ଟେଜିଂ କ୍ୟାମ୍ପର କାମ ଶୁଭାରମ୍ଭ କରାଯାଇଛି। ଏତଦ୍ ବ୍ୟତୀତ ୩୨ଟି ହେଲିପ୍ୟାଡ୍ ନିର୍ମାଣ କରାଯିବ। ଏଠାରେ ଥିବା ଅନ୍ୟ କେତେକ ପୁରୁଣା ହେଲିପ୍ୟାଡ୍ ଗୁଡ଼ିକୁ ନବୀକରଣ କରାଯିବ। ସୀମାରେ ସୁରକ୍ଷା ବୃଦ୍ଧି ପାଇଁ ଭାରତ ସରକାର ବହୁ ପରିଯୋଜନା କରିଛନ୍ତି। ଗୃହ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଭାରତ-ଚୀନ ସୀମାରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ସଡ଼କ ନିର୍ମାଣ ପାଇଁ ୩୪୮୨.୫୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାବ୍ୟତୀତ ୭୨୧.୦୨ କି.ମି ରାସ୍ତା ନିର୍ମାଣ କରାଯାଇଛି। ସେହିପରି ୪୭୫.୨୯ କି.ମି ରାସ୍ତା ବ୍ୟବହାର ଉପଯୋଗୀ ହୋଇସାରିଛି। ଆଉ ୭ଟି ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଛି। ଦ୍ଵିତୀୟ ପର୍ଯ୍ୟାୟରେ ୬୮୩.୧୨ କି.ମିର ୩୨ଟି ସଡ଼କ ନିର୍ମାଣ ହେବ। ଏଥିପାଇଁ ୧୨୪୩୪.୯୦ କୋଟି ଟଙ୍କା ବିନିଯୋଗ ହେବ ।