
ସୋମବାରଠୁ ରାଜ୍ୟରେ ପାଗ ଶୁଖିଲା ରହିବ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ । ତେବେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ କନ୍ଧମାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତାକାଲି ପାଗ ଶୁଖିଲା ରହିବ । ଅପରାହ୍ନରେ କେନ୍ଦୁଝର ଓ ମୟୂରଭଞ୍ଜ ଭଳି କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ତାପମାତ୍ରା ଧୀରେ ଧୀରେ ବଢ଼ିବ ବୋଲି ଡ.ସାହୁ ପୂର୍ବାନୁମାନ କରିଛନ୍ତି ।
ତେବେ ରବିବାର ରାଜ୍ୟରେ ୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ସୋନପୁର ଓ ବୌଦ୍ଧରେ ୩୬ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଭବାନିପାଟଣାରେ ୩୫.୨ ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ରେ ୩୫.୪ ଡିଗ୍ରୀ, ବଲାଙ୍ଗୀରରେ ୩୫ ଡିଗ୍ରୀ, ଫୁଲବାଣୀରେ ୩୪.୮ ଡିଗ୍ରୀ, ଅନୁଗୁଳରେ ୩୪.୧ ଡିଗ୍ରୀ, ତାଳଚେର, ନୟାଗଡ଼ ଓ ଭଦ୍ରକରେ ୩୪ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।