ତୃତୀୟ ଲହରର ହବ୍ ପାଲଟିଲା ଦିଲ୍ଲୀ-ମୁମ୍ବାଇ !
ଦୁଇ ସହରରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ଦେଶର ରାଜଧାନୀ ଦିଲ୍ଲୀ ଏବଂ ମାୟାନଗରୀ ମୁମ୍ଵାଇ ଦେଶରେ ତୃତୀୟ କରୋନାର ଲହରର ପେଣ୍ଠ ସ୍ଥଳ ପାଲଟିଛି। ଗୋଟିଏ ପଟେ ମୁମ୍ଵାଇରେ ତୃତୀୟ ଦିନରେ କରୋନା କେସ୍ ୨୦ ହଜାରରୁ ଅଧିକ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ କରୋନା ପଜିଟିଭ୍ ହାର ଦୁଇ ପ୍ରତିଶତ ବୃଦ୍ଧି ଘଟି ଶନିବାର ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ପ୍ରତିଦିନ କରୋନା କେସ୍ ହୁ ହୁ ହୋଇ ବଢି ଚାଲିଛି। ଏହା ମଧ୍ୟରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଜାନୁଆରୀ ୧୦ରୁ ରାତ୍ରିକାଳୀନ କର୍ଫ୍ୟୁର ଆଦେଶ ଦେଇଛନ୍ତି।
ଦେଶରେ ଓମିକ୍ରନର ପ୍ରକୋପ ଜାରି ରହିଛି। ତେବେ ମୁମ୍ବାଇ ଓ ଦିଲ୍ଲୀର କରୋନା ମାମଲା ଭୟାବହ ରହିଛି। ଶନିବାର ମୁମ୍ବାଇରେ ୨୦୩୧୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାରେ ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦିଲ୍ଲୀରେ କରୋନାର ୨୦୧୮୧ ମାମଲା ସାମ୍ନାକୁ ଆସିଛି। କରୋନାର କେସ୍ ଲଗାତାର ବଢିବା ଚିନ୍ତାର ବିଷୟ ବୋଲି କହିଛନ୍ତି ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ। ମହାରାଷ୍ଟ୍ର ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ଶନିବାର ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୦୩୭କୁ ବୃଦ୍ଧି ଘଟିଛି। କ୍ରମାଗତ ତୃତୀୟ ଦିନ ମୁମ୍ବାଇରେ ୨୦ ହଜାରରୁ ଅଧିକ କେସ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜାନୁଆରୀ ୧୦ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି।