ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ହେବ ଶୁଣାଣି
ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଆଜି ହେବ ଶୁଣାଣି । ମମିତା ମେହେରଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାର ଆଜି ଶୁଣାଣି ହେବ । ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଂଟି ମେହେର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମମିତାଙ୍କ ବାପା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଆବେଦନ କରିବା ସହ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ପାଇଁ ଦାବି କରିଛନ୍ତି ।
ମମିତା ମେହେର ହତ୍ୟାକାଣ୍ଡକୁ ମାସେ ପୂରିଥିଲେ ମଧ୍ୟ ରାଜ୍ୟରେ ଏଯାଏ କମିନି ତାତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ବିରୋଧୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମମିତାଙ୍କ ବାପାଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, ଉପଯୁକ୍ତ ତଦନ୍ତ କରାଗଲେ ମମିତା ହତ୍ୟା ପଛର ପ୍ରକୃତ କାରଣ ଜଣାପଡିବ । ଏଥି ସହିତ ତ୍ୱରିତ ଶୁଣାଣି କରାଯାଇ ଦୋଷୀଙ୍କୁ ଦଣ୍ଡିତ କରାଯାଉ ବୋଲି ଆବେଦନ କରାଯାଇଛି । ମାମଲାରେ ରାଜ୍ୟ ଗୃହ ବିଭାଗ, ପୋଲିସ ଡିଜି, ବଲାଙ୍ଗିର ଏସ୍ପି, ଜିଲ୍ଲାପାଳ ଓ ସିନେ୍ଧକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଏହି ହତ୍ୟାକାଣ୍ଡ ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆଜି ହାଇକୋର୍ଟଙ୍କ ଶୁଣାଣି ଉପରେ ନଜର ରହିଛି ।