‘ପ୍ରଣବ ଦା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ୧୨ଟା ପରେ ଶେଷ ଦର୍ଶନ ଶେଷ ହେବା ସହ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ।

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ୧୨ଟା ପରେ ଶେଷ ଦର୍ଶନ ଶେଷ ହେବା ସହ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ। ତାଙ୍କର ଶେଷ ଦର୍ଶନ ପାଇଁ ବିଭିନ୍ନ ଦଳର ନେତାଙ୍କ ସୁଅ ଛୁଟିଛି। ଦିଲ୍ଲୀର ଲୋଧି ଶ୍ମଶାନରେ ଅପରାହ୍ନ ୨ଟା ୩୦ମିନିଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ସୂଚନାଯୋଗ୍ୟ ଯେ, ଗତକାଲି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଥିଲେ। ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ରକ୍ତ ଟେଳାଟିକୁ ବାହାର କରିବାକୁ ମସ୍ତିଷ୍କରେ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା ଓ ସେ ଗଭୀର କୋମା ଅବସ୍ଥାରେ ଥିଲେ।