Breaking PLUSଓଡ଼ିଶାମୁଖ୍ୟ ଖବର
କଟକ ଠାରେ ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର- ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ସମାଜର ଦୁର୍ବଳ ଶ୍ରେଣୀ, ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ । ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।
ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପଡିଆ, ବକ୍ସିବଜାର, କଟକ ଠାରେ ଓଡିଶା ପୋଲିସର ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ଡିଜିପି ଶ୍ରୀ ଖୁରାନିଆ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସେବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ | ମୁଖ୍ୟ ଅତିଥି ଡିଜିପି ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶ୍ରଦ୍ଧା ଓ ସମବେଦନା ଜ୍ଞାପନ କରିଥିଲେ |
୧ ଏପ୍ରିଲ ୧୯୩୬ ମସିହାରେ ନୂତନ ଓଡିଶା ପ୍ରଦେଶ ଗଠନ ସହ ଓଡିଶା ପୋଲିସ ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ୯୦ବର୍ଷର ଅତିକ୍ରମ ପଥରେ ଓଡିଶା ପୋଲିସ ବିଭିନ୍ନ ସମୟରେ ସମସ୍ଯା ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରତ୍ଯେକଥର ସଫଳତାର ସହିତ ସମସ୍ତ ସମସ୍ୟାର ମୁକାବିଲା କରି ଲୋକମାନଙ୍କୁ ନିରନ୍ତର ସେବା ପ୍ରଦାନ କରିବାରେ ସଫଳ ହୋଇଛୁ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ।