ଦେଶ ବିଦେଶବାଣିଜ୍ୟସ୍ୱାସ୍ଥ୍ୟ

୯୦% ପର୍ଯନ୍ତ ଶସ୍ତା ହେଲା କ୍ୟାନସର ଔଷଧ

କର୍କଟ ରୋଗର ଔଷଧ ମୂଲ୍ୟ ହ୍ରାସ ଲାଗି ଫେବୃଆରୀ ୨୦୧୯ରେ ସରକାର ନେଇଥିବା ପଦକ୍ଷେପ ଏବେ ସଫଳ ହେବାକୁ ଯାଉଛି

ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣଙ୍କ ସୂଚନା ଅନୁସାରେ ଏଥିରେ ସରକାର ୪୨ଟି ଔଷଧର ମୂଲ୍ୟ ହ୍ରାସ ଲାଗି ହାତକୁ ନେଇଥିବା ପାଇଲଟ ପ୍ରକଳ୍ପକୁ ଔଷଧ ନିର୍ମାତାଙ୍କ ସମର୍ଥନ ମିଳିଛି। ଫଳରେ ୫୨୬ଟି ବ୍ରାଣ୍ଡର ୪୨ଟି କ୍ୟାନସର ନିବାରକ ଔଷଧ ମୂଲ୍ୟରେ ହାରାହାରି ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।ପ୍ରାଧିକରଣଙ୍କ ସୂଚନା ଅନୁସାରେ ଏହି ପ୍ରୟାସରେ ବିର୍ଲୋଟିବ ବ୍ରାଣ୍ଡର ୧୫୦ଏମଜି ଏର୍ଲୋଟିନିବ ଔଷଧର ମୂଲ୍ୟ ୯୧.୦୮ ପ୍ରତିଶତ ହ୍ରାସ ହୋଇଛି। ଏହି ଔଷଧର ମୂଲ୍ୟ ୯ହଜାର ୯୯୯ ଟଙ୍କା ଥିଲା। ଏବେ ୮୯୧ଟଙ୍କା ୭୯ ପଇସାରେ ଉପଲବ୍ଧ ହେଉଛି। ସେହିପରି ୨୫ହଜାର ୪୦୦ ଟଙ୍କା ଦର ଥିବା ପେମେଷ୍ଟାର-୫୦୦ ଇଞ୍ଜେକ୍ସନ ଏବେ ୨ହଜାର ୫୦୯ ଟଙ୍କାରେ ମିଳିପାରୁଛି।

କେବଳ ଏତିକି ନୁହେଁ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୧୨୪ ପ୍ରକାର ଚିହ୍ନିତ ଔଷଧ ମଧ୍ୟରୁ ୬୨ ପ୍ରତିଶତ ଔଷଧର ମୂଲ୍ୟ ହ୍ରାସ ହୋଇଛି।ପାଇଲଟ ପ୍ରକଳ୍ପର କାର୍ଯ୍ୟକାରୀତା ପରେ କର୍କଟ ଆକ୍ରାନ୍ତ ରୋଗୀଙ୍କ ଔଷଧ ବାବଦକୁ ଅନୁନ୍ୟ ୯୮୪ କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ବୋଲି ଆଶା କରାଯାଉଛି। କର୍କଟ ରୋଗ ଲାଗି ଔଷଧର ମୂଲ୍ୟ ହ୍ରାସ ନିମନ୍ତେ ଅଲ ଇଣ୍ଡିଆ ଡ୍ରଗ ଆକ୍ସନ ନେଟୱାର୍କର ପଦକ୍ଷେପକୁ ଏନପିପିଏ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଆକଳନ ଅନୁସାରେ ସାରା ବିଶ୍ୱରେ କର୍କଟ ଯୋଗୁ ସର୍ବାଧିକ ମୃତ୍ୟୁ ହେଉଛି। ଏଥିରୁ କେବଳ ଭାରତରେ ୧.୫ ନିୟୁତ ଲୋକେ ପ୍ରାଣ ହରାଉଛନ୍ତି। ୨୦୪୦ ମସିହା ସୁଦ୍ଧା ଭାରତରେ କର୍କଟ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୨ଗୁଣାରୁ ବି ଅଧିକ ହେବ ବୋଲି ଡବ୍ଲୁଏଚଓ ଆକଳନ କରିଛନ୍ତି।

Show More

Related Articles

Back to top button