୫ ଦିନ ହାଡ଼ଭଙ୍ଗା ଶୀତ : ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଫଳରେ ଆଗାମୀ ପାଞ୍ଚ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ। ସର୍ବନିମ୍ନ ତାପମାତ୍ରା ବିଭିନ୍ନ ସ୍ଥାନରେ ହ୍ରାସ ପାଇବାରେ ଲାଗିଛି। ୧୭ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି

ଆସନ୍ତା ୫ଦିନ ଏହା ଜାରି ରହିବ ଓ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ପର୍ୟ୍ୟନ୍ତ ତଳକୁ ଖସି ଆସିବାର ସମ୍ଭାବନା ରହିଛି। ଆସନ୍ତା ତିନିଦିନ ପର୍ୟ୍ୟନ୍ତ ପ୍ରବଳ ଶୀତ ଲହରୀକୁ ଲକ୍ଷ୍ୟ କରି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବରଗଡ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଅନୁଗୋଳ ରହିଛି। ଉପରୋକ୍ତ ଜିଲାର ଅଧିବାସୀ ରାତିରେ ଏବଂ ସକାଳେ ଘରେ ରହିବାକୁ ପାଣିପାଗ କେନ୍ଦ୍ର ସତର୍କ କରାଇ ଦେଇଛି। ଜରୁରୀକାଳୀନ କାମ ନ ଥିଲେ ଖୋଲା ଗାଡିରେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ତିନିଦିନ ଯାଏଁ ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ। ସୋମବାର ସକାଳେ କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ରୁ ୭ ଡିଗ୍ରୀ ହ୍ରାସ ପାଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡାରେ ୭.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ୩ ଡିଗ୍ରୀ ପର୍ୟ୍ୟନ୍ତ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୫ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ୨ରୁ ୪ଡିଗ୍ରୀ ପାରଦ ତଳକୁ ଖସି ଆସିବ। ଏହି ସମୟରେ ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ଶୀତ ଲହରୀ ଜାରି ରହିବ।