
ମାଡ଼ି ଆସୁଛି କରୋନା ଚତୁର୍ଥ ଲହର । ୪ ରାଜ୍ୟରେ କାୟାବିସ୍ତାର କଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସତର୍କବାଣୀ ଦେବା ହେଲାଣି ଛାତି ଧଡ଼ ଧଡ଼ । ଜନସାଧାରଣଙ୍କୁ ଡ଼ରାଇଲାଣି ସଂକ୍ରମଣ ଭୟ । କରୋନା କଟକଣାକୁ ଲୋକେ ପାଶୋରି ଗଲେଣି । ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କି ମାସ୍କ ଆଉ କେହି ପିନ୍ଧୁନାହାନ୍ତି । ଏଭଳି ସ୍ଥିତିରେ ସଂକ୍ରମଣକୁ ଆମନ୍ତ୍ରଣ କଲା ଭଳି ପରିସ୍ଥିତି ଉପୁଜିଛି । ଗୁରୁବାର ହଠାତ୍ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । କିଛି ଶିକ୍ଷାନୁଷ୍ଠାନରେ ବି ଭୂତାଣୁ ପ୍ରବେଶ କଲାଣି । ଆଗକୁ ଓଡ଼ିଶାରେ ଗଣପର୍ବ ରଜ ଆସୁଛି । ଲୋକେ ଭୋଜିଭାତ ଓ ଉତ୍ସବ ପାଇଁ ରୁଣ୍ଡ ହେବେ । ରଜ ପାଳିବା ପାଇଁ ଓଡ଼ିଶା ଫେରିବେ ପ୍ରବାସୀ । ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । ଏହା ବାଦ୍ କଟକରେ ୧୨ତାରିଖରେ କ୍ରିକେଟ୍ ମ୍ୟାଚ୍ ହେବ । ହଜାର ହଜାର ଦର୍ଶକ ଏକାଠି ହେବେ । ସେଠି ମଧ୍ୟ ସଂକ୍ରମଣ ବିପଦ ରହିଛି । ଏ ସବୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ଚିଠି ଲେଖି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛି । ଯଦି ଏବେଠାରୁ ସ୍ୱାସ୍ଥ୍ୟ ବିଭାଗ ଢିଲାପଣ ଦେଖାଇବ, ତେବେ ରାଜ୍ୟ ପାଇଁ ସମସ୍ୟା ବଢ଼ିବାର ଆଶଙ୍କା ରହିଛି ।
ରାଜ୍ୟରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ଅଛି । ୨ମାସ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦ ଭିତରେ । ଗୁରୁବାର ରାଜ୍ୟରେ ୩୧ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୧ ସୁସ୍ଥ ହୋଇଛନ୍ତି । ୧୪ ଜିଲ୍ଲାରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ଉତ୍ତର ଓଡ଼ିଶାରେ ମୋଟାମୋଟି ଭାବେ ଜିଲ୍ଲାଗୁଡ଼ିକ ସଂକମ୍ରଣ ମୁକ୍ତ ରହିଛି । ସେହିପରି ଦକ୍ଷିଣ ଓଡ଼ିଶାରେ ବି ସାମାନ୍ୟ ସ୍ଥିତି ରହିଛି । ଏହାବାଦ୍ ପୂର୍ବ ଓଡ଼ିଶାରେ ଖୋର୍ଦ୍ଧାରେ ସର୍ବାଧିକ ୩୬ ଓ କଟକରେ ୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ୪ ତଳେ ରହିଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସରକାର ସଜାଗ ଅଛନ୍ତି । ଏନ୍ଫୋର୍ସମେଣ୍ଟ୍ ଜରିଆରେ କଟକଣା ଜାରି କରିବା କଥା ସରକାର ନିଷ୍ପତ୍ତି ନେବେ । ଜନସାଧାରଣ କୋଭିଡ୍ ନିୟମ ପାଳନ କରନ୍ତୁ । ବାରବାଟୀ ମ୍ୟାଚ୍ରେ ସମସ୍ତ ଦର୍ଶକ ମାସ୍କ ପିନ୍ଧନ୍ତୁ । ସ୍ୱାସ୍ଥ୍ୟ ବିଭାଗ ନିୟମିତ ଭାବେ ଜେନ୍ମ ସ୍ୱିକ୍ୱେନ୍ସିଂ ପାଇଁ ସାମ୍ପୁଲ ପଠାଉଛି । ଅନ୍ୟପଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ୪ମାସ ହେଲାଣି କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ଥିଲା । ଗତ ୨ ସପ୍ତାହ ଭିତରେ ସଂକ୍ରମଣ ବୃଦ୍ଧି ପାଇଛି । ଦେଶରେ ୨୪ଘଣ୍ଟା ଭିତରେ ୭,୨୪୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ସଂକ୍ରମଣ ରୋକିବା ପାଇଁ ଗାଇଡ୍ଲାଇନ୍, ଟିକାକରଣ, ଟେଷ୍ଟିଂ ଉପରେ ବିଶେଷ ଦୃଷ୍ଟି ଦିଅନ୍ତୁ ।