ଓଡ଼ିଶାମୁଖ୍ୟ ଖବର

ଦ୍ବିତୀୟ ଦିନରେ ରାଜ୍ୟରେ ୧୦୨% ଟିକା ଦାନ

ଗୋଟିଏ ଦିନର ବ୍ୟବଧାନ ପରେ ସୋମବାର ରାଜ୍ୟରେ ପୁଣିଥରେ କରୋନା ଟିକାକରଣ ଆରମ୍ଭ ହୋଇଛି। ଦ୍ବିତୀୟ ଦିନରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଦ୍ବିତୀୟ ଦିନରେ ସମୁଦାୟ ୩୧,୯୦୨ଜଣଙ୍କୁ ଟିକା ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ମୋଟ ୩୭୫ ସେସନ୍‌ରେ ୩୨,୫୨୬ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଅର୍ଥାତ୍‌ ସମଗ୍ର ରାଜ୍ୟରେ ୧୦୨ ପ୍ରତିଶତ ଟିକାଦାନ ହୋଇଥିବାବେଳେ ୧୭ଟି ଜିଲ୍ଲାରେ ଶତ ପ୍ରତିଶତ/ଶତ ପ୍ରତିଶତରୁ ଅଧିକ ଟିକାଦାନ କରାଯାଇଛି

କେନ୍ଦ୍ରାପଡ଼ରେ ସର୍ବାଧିକ ୧୬୩ ପ୍ରତିଶତ ଟିକାଦାନ ହୋଇଛି।ଗତ ୧୬ତାରିଖରେ ପ୍ରଥମ ଟିକାକରଣ ଆରମ୍ଭ ହେବା ପରେ ୧୭ ତାରିଖ ଅର୍ଥାତ୍ ରବିବାର ଟିକାଦାନ ବନ୍ଦ ରହିଥିଲା। ପ୍ରଥମ ଦିନରେ ୧୬୧ ସେସନ୍‌ରେ ୧୩,୯୮୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିଲେ। ଆଜିଠାରୁ ପୁଣିଥରେ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଟିକାଦାନ ପାଇଁ ୫ଟି ସେସନ୍ ଧାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସେସନ୍ ଆୟୋଜିତ ହୋଇଥିଲା। ପୂର୍ବରୁ ଗୋଟିଏ କେନ୍ଦ୍ରରେ ସର୍ବାଧିକ ଶହେ ଜଣଙ୍କୁ ଟିକା ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ‌ଏବେ ମେଡିକାଲ କଲେଜରେ ଗୋଟିଏ ସେସନ୍‌ରେ ୨ଶହ ଜଣଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଦ୍ବିତୀୟ ଦିନରେ ୩୮୦ ସେସନ୍ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୩୭୫ ସେସନ୍ ହୋଇପାରିଛି। ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, ସୋନପୁରରେ ଶତ ପ୍ରତିଶତ ‌ଟିକାଦାନ ହୋଇଛି। ନୂଆପଡ଼ାରେ ସର୍ବନିମ୍ନ ୫୮ ପ୍ରତିଶତ ଓ ଜଗତସିଂହପୁରରେ ୭୦ ପ୍ରତିଶତ ଟିକାଦାନ ହୋଇଛି।

ସେହିପରି ରାଜଧାନୀ ଭୁବନେଶ୍ବରରେ ୬୮ ପ୍ରତିଶତ ଟିକାଦାନ ହୋଇଛି। ରାଜଧାନୀରେ ୩୯ ସେସନ୍‌ରେ ୨୮୬୪ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୯୪୭ଜଣ ଟିକା ନେଇଛନ୍ତି। ଭୁବନେଶ୍ବରରେ କେବଳ ‘କୋଭାକ୍ସିନ୍’ ଟିକା ଦିଆଯାଇଛି। ଟିକା ନେଇଥିବା ବାଲେଶ୍ବର ଓ ନବରଙ୍ଗପୁରର ଦୁଇ ସ୍ବାସ୍ଥ୍ୟକର୍ମୀଠାରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା। ପରବର୍ତୀ ସମୟରେ ସେମାନେ ସୁସ୍ଥ ହୋଇ ଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ୩ଜଣଙ୍କଠାରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।ଅପରପକ୍ଷରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ‘କୋଭିସିଲ୍ଡ’ର ୩ଲକ୍ଷ ୮ହଜାର ଡୋଜ୍ ଓ ‘କୋଭାକ୍ସିନ୍’ର ୨୦ହଜାର ଡୋଜ୍‌ ଆସିଥିଲା। ଏଥିରେ ୧ଲକ୍ଷ ୯୧ହଜାର ୫୫୫ଜଣଙ୍କୁ ଟିକାଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। ଆସନ୍ତା ୨୫ତାରିଖ ସୁଦ୍ଧା ଟିକାଦାନ ଶେଷ କରିବା ଲାଗି ଲକ୍ଷ୍ୟ ରହିଛି। ଆସନ୍ତାକାଲି ‘କୋଭିସିଲ୍ଡ’ର ୩ଲକ୍ଷ ୩୪ହଜାର ୫ଶହ ଡୋଜ୍‌ ରାଜ୍ୟକୁ ଆସିବ ବୋଲି ସୂଚନା ମିଳିଛି। ରାଜ୍ୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭୭୭ ସ୍ବାସ୍ଥ୍ୟକର୍ମୀ ପ୍ରଥମ ପର୍ଯ୍ୟାୟରେ ଟିକାଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଟିକାକରଣ କାର୍ଯ୍ୟକ୍ରମକୁ ଜାରି ରଖିବା ଲାଗି ସବୁ ଜିଲ୍ଲାମାନଙ୍କୁ ଏହାର ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରିବା ଲାଗି କୁହାଯାଇଥିଲା। ଜିଲ୍ଲାଗୁଡ଼ିକ ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରି ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରି ସାରିଛନ୍ତି।

Show More

Related Articles

Back to top button