
ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଲିଙ୍ଗ ନିରୂପଣ । ଏଥିପାଇଁ ସରକାର ଅନେକ ନିୟମ କରଥିଲେ ସୁଦ୍ଧା କାମରେ ଆସୁନାହିଁ । ତେବେ କେଉଁ ସବୁ କ୍ଲିନିକରେ ଏଭଳି ଅମାନୁଷିକ କାର୍ଯ୍ୟ କରାଯାଉଛି,ତାହାକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ । ବର୍ତ୍ତମାନ ଏହାକୁ ରୋକିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି ।
ଏଣିକି ବେଆଇନ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ ବିଷୟରେ ସୂଚନା ଦେଲେ ୨୫ ହଜାର ଟଙ୍କା ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ଏଥିସହିତ ସୂଚନାଦାତାଙ୍କ ସମସ୍ତ ତଥ୍ୟକୁ ଗୋପନ ରଖାଯିବା ସହ ତାଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବନାହିଁ ।
ବେଆଇନ ଲିଙ୍ଗ ନିରୂପଣ କରୁଥିବା ସଂସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ସରକାରଙ୍କ ତରଫରୁ ଏକ ନମ୍ବର ଜାରି କରାଯିବ । ସୂଚନା ମିଳିବା ପରେ ଜିଲ୍ଲା ଅନୁମୋଦନ କର୍ତ୍ତୃପକ୍ଷ ଏହାର ସତ୍ୟାସତ୍ୟ ଯାଞ୍ଚ କରିବେ । ଯଦି ସୂଚନା ଠିକ୍ ଥିବ ତେବେେ ସୂଚନା ପ୍ରଦାନକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ମିଳିବ । ଯଦି ମାମଲା ଆଗକୁ ବଢ଼େ ଆଉ ଦଶ ହଜାର, ଦୋଷୀଙ୍କୁ ଦଣ୍ଡ ମିଳିଲେ ଆଉ ୫ ହଜାର ମିଳିବ ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୧ ହଜାର ପୁଅଙ୍କ କ୍ଷେତ୍ରରେ ୮୯୪ ଜଣ ଝିଅ ରହିଛନ୍ତି । ରାଜ୍ୟରେ ଝିଅଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ତେଣୁ ରାଜ୍ୟ ସରକାର ଏଭଳି ପ୍ରୋତ୍ସାହନଭିତ୍ତିକ ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟ କି ଜିଲ୍ଲାସ୍ତରରେ ଏହି ସୂଚନା ସମ୍ପର୍କିତ ନମ୍ବର ଜାରି ହେବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।