ଖେଳମୁଖ୍ୟ ଖବରସ୍ୱତନ୍ତ୍ର

ନୂଆ ଫର୍ମାଟରେ ଖେଳାଯିବ ୨୦୨୪ ଟି-୨୦ ବିଶ୍ୱକପ, ମୋଟ ଭାଗ ନେବେ ୨୦ଟି ଦଳ

ଦୁବାଇ: ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବାକୁ ଥିବା ୨୦୨୪ ଟି-୨୦ ବିଶ୍ୱକପ ପୂର୍ବରୁ ଫର୍ମାଟରେ ହୋଇଛି ବଡ଼ ପରିବର୍ତ୍ତନ। ନୂଆ ଫର୍ମାଟରେ ଆସନ୍ତା ଟି-୨୦ ବିଶ୍ୱକପ ଖେଳାଯିବ। ୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଭାଗ ନେବେ। ସେମାନଙ୍କୁ ୪ଟି ଗ୍ରୁପରେ ବିଭାଗ କରାଯିବ। ପ୍ରତି ଗ୍ରୁପରେ ୫ଟି ଲେଖାଏଁ ଦଳ ରହିବେ। ପ୍ରଥମ ରାଉଣ୍ଡ ପରେ ସୁପର ୮ ମୁକାବିଲା ଆରମ୍ଭ ହେବ।

୨୦୨୧ ଓ ୨୦୨୨ ଟି-୨୦ ବିଶ୍ୱକପରେ ପ୍ରଥମ ରାଉଣ୍ଡ ପରେ ସୁପର ୧୨ ମ୍ୟାଚ ଖେଳଯାଉଥିଲା। ହେଲେ ୨୦୨୪ରେ ଏହି ଫର୍ମାଟ ବଦଳି ଯିବ। ନୂଆ ଫର୍ମାଟ ଅନୁସାରେ, ପ୍ରତି ଗ୍ରୁପର ଟପ୍‌ ୨ଟି ଟିମ ସୁପର ୮କୁ କ୍ୱାଲିଫାଏ କରିବେ। ଏହି ୮ଟି ଦଳକୁ ପୁଣି ୨ଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ରହିବେ। ସେମାନଙ୍କ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ସୁପର ୮ରେ ମୁକାବିଲା ପରେ ପ୍ରତି ଗ୍ରୁପରୁ ଟପ୍‌ ୨ଟି ଲେଖାଏଁ ଟିମ ସେମି ଫାଇନାଲକୁ ଯିବେ ଓ ପରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଇତି ମଧ୍ୟରେ ୧୨ଟି ଟିମ୍‌ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଆୟୋଜକ ୱେଷ୍ଟଇଣ୍ଡିଜ ଓ ଆମେରିକା ବ୍ୟତୀତ ଆଉ ୧୦ଟି ଟିମ୍‌ ଏବେ ଠାରୁ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଟିକେଟ ହାତେଇ ସାରିଛନ୍ତି।

୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ। ଚଳିତ ବର୍ଷ ଇଣ୍ଡିଜ ଟିମ୍‌ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରି ନଥିଲା। କିନ୍ତୁ ଆୟୋଜକ ହିସାବରେ ଦଳ ୨୦୨୪ ଟି-୨୦ ବିଶ୍ୱକପର ସୁପର ୧୨କୁ ଯୋଗ୍ୟତା ଅର୍ଜନ କରିଛି। ଆମେରିକା ମଧ୍ୟ ସୁପର ୧୨ରେ ପହଞ୍ଚିଛି।

୨୦୨୨ ଟି-୨୦ ବିଶ୍ୱକପ ଗ୍ରୁପ ପର୍ଯ୍ୟାୟ ଲଢ଼େଇରୁ ଆରମ୍ଭ ହୋଇଥିଲା। ଏହାପରେ ଦୁଇ ଗ୍ରୁପରୁ ୪ଟି ଦଳ ସୁପର ୧୨ରେ ପହଞ୍ଚିଥିଲେ। ଗ୍ରୁପ ୧ରେ ୬ଟି ଦଳ ଓ ଗ୍ରୁପ୍‌ ୨ରେ ୬ଟି ଦଳ ସ୍ଥାନ ପାଇଥିଲେ। ସୁପର ୧୨ ମ୍ୟାଚ୍‌ ପରେ ନିଜ ନିଜ ଗ୍ରୁପ୍‌ର ଟପ୍‌ ୪ରେ ରହି ଅଭିଯାନ ଶେଷ କରିଥିବା ଦଳଗୁଡ଼ିକ ସିଧାସଳଖ ୨୦୨୪ ଟି-୨୦ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହାର ଅର୍ଥ ମୋଟ ୮ଟି ଦଳ ୨୦୨୪ ଟି-୨୦ ବିଶ୍ୱକପ ଟିକେଟ ହାତେଇଛନ୍ତି।

ଗ୍ରୁପ ୧ରୁ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଟପ ୪ରେ ରହିଥିଲେ। ସେହିପରି ଗ୍ରୁପ ୨ରୁ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ଟପ୍‌ ୪ ରହି ବିଶ୍ୱକପର ପରବର୍ତ୍ତୀ ସଂସ୍କରଣକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଆମେରିକା କିମ୍ବା ୱେଷ୍ଟଇଣ୍ଡିଜ୍‌ ୨୦୨୨ ଟି-୨୦ ବିଶ୍ୱକପ ସୁପର ୧୨ରେ ନଥିଲେ। କିନ୍ତୁ ୨୦୨୪ ବିଶ୍ୱକପ ଆୟୋଜନ କରୁଥିବାରୁ ଉଭୟ ଦଳକୁ ସିଧାସଳଖ ସୁପର ୧୨ରେ ସ୍ଥାନ ମିଳିଛି। ଏହାବାଦ ଆଉ ଦୁଇଟି ଦଳ ଭାବେ ବାଂଲାଦେଶ ଓ ଆଫଗାନିସ୍ତାନ ୨୦୨୪ ଟି-୨୦ ବିଶ୍ୱକପ ସୁପର ୧୨ରେ ସ୍ଥାନ ପାଇଛନ୍ତି।

ଏହି ଦୁଳ ଦଳ ନିଜ ନିଜ ଗ୍ରୁପର ଟପ ୪ରେ ନଥିଲେ। କିନ୍ତୁ ସୁପର ୧୨ରେ ସ୍ଥାନ ପାଇଥିବା କିଛି ଦଳ ଗୁଡ଼ିକ ତୁଳନାରେ ବାଂଲାଦେଶ ଓ ଆଫଗାନିସ୍ତାନର ଆଇସିସି ରାଙ୍କିଙ୍ଗ ଭଲ ରହିଛି। ବାଂଲାଦେଶ ଟପ ୧୦ ଓ ଆଫଗାନିସ୍ତାନ ୯ନଂରେ ରହିଛି। ତେଣୁ ସେହି ରାଙ୍କିଙ୍ଗ ଆଧାରରେ ଉଭୟ ଦଳ ସୁପର ୧୨ ଟିକେଟ ହାତେଇଛନ୍ତି।

 

Show More

Related Articles

Back to top button