ଓଡ଼ିଶାଖେଳଦେଶମୁଖ୍ୟ ଖବର

୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ପ୍ରକାଶ ପାଇଲା ମ୍ୟାଚସୂଚୀ

ନୂଆଦିଲ୍ଲୀ: ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଆଜି ମ୍ୟାଚ୍‌ସୂଚୀ ପ୍ରକାଶ ପାଇଛି। ଆୟୋଜକ ଭାରତ ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷ ମ୍ୟାଚ୍‌ରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ ହେବ। ହେଲେ ଏହା ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ନାହିଁ। ଭାରତ ଓ ସ୍ପେନ ମଧ୍ୟରେ ପ୍ରଥମ ଲିଗ୍‌ ମ୍ୟାଚ୍‌ ରାଉରକେଲାରେ ନୂଆ କରି ତିଆରି ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓପନିଂ ମ୍ୟାଚ୍‌ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଦିନର ଦ୍ୱିତୀୟ ମ୍ୟାଚ୍‌ରେ ବିଶ୍ୱର ୧ ନଂ ଟିମ୍ ଅଷ୍ଟ୍ରେଲିଆର ମୁକାବିଲା ଫ୍ରାନ୍ସ ସହ ହେବ। ୨୦୧୮ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ତେଣୁ ପୁଣି ଦୁଇ ଦେଶ ମଧ୍ୟରେ ଲଢ଼େଇକୁ ଦର୍ଶକ ଦେଖିବେ। ଭାରତ ତା’ର ପ୍ରଥମ ମ୍ୟାଚ୍‌ ସ୍ପେନ ବିପକ୍ଷରେ ଖେଳିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ଟି ମଧ୍ୟ ରାଉରକେଲାରେ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଭାରତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳ ହେବ। ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ୱେଲ୍ସକୁ ଭେଟିବ। ଭାରତ ହକି ବିଶ୍ୱକପର ଗ୍ରୁପ ଡି’ରେ ରହିଛି। ଏହି ଗ୍ରୁପ୍‌ରେ ଭାରତ ବ୍ୟତୀତ ସ୍ପେନ, ଇଂଲଣ୍ଡ ଓ ୱେଲ୍ସ ରହିଛନ୍ତି। ୨୦୧୮ ଭଳି ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଜାନୁଆରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇ ଜାନୁଆରୀ ୨୯ ଯାଏ ଚାଲିବ। ଏଥିରେ ମୋଟ ୧୬ଟି ଦଳ ଭାଗ ନେବେ। ୧୬ଟି ଦଳକୁ ୪ଟି ପୁଲ୍ ବା ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏ ଦେଶ ରହିଛନ୍ତି। ବିଶ୍ୱକପରେ ମୋଟ ୪୪ଟି ମ୍ୟାଚ୍‌ ଖେଳାଯିବ।

 

Show More

Related Articles

Back to top button