ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଇରାନରେ ଗୁଳିକାଣ୍ଡ ଘଟି ୧୫ ମୃତ

ତେହରାନ: ଇରାନର ସିରାଜ ସହରରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି। ୩ ବନ୍ଧୁକଧାରୀ ଏପରି ନାରକୀୟ କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ୍‌ କାବୁ କରି ନେଇଥିବା ବେଳେ ତୃତୀୟ ଆତତାୟୀଜଣକ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଇରାନର ଦକ୍ଷିଣରେ ଅବସ୍ଥିତ ସିରାଜ ସହରରେ ଥିବା ଶାହଚେରାଗ ମସଜିଦରେ ଗତକାଲି ସନ୍ଧ୍ୟା ସମୟରେ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟ ଲୋକେ ଏକତ୍ରିତ ହୋଇଥିଲେ। ଏହି ସମୟରେ ହଠାତ୍‌ ୩ ବନ୍ଧୁକଧାରୀ ଉକ୍ତ ଦରଘା ମଧ୍ୟରେ ପହଞ୍ଚିଲେ। ଏହାପରେ ସେମାନେ ଆଖି ବୁଜା ଗୁଳି ଚଳାଇବାରୁ ଲୋକେ ଭୟଭୀତ ହୋଇ ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ। ଏହି ଗୁଳିକାଣ୍ଡ ସମୟରେ ୧୦ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ୍‌ ସଙ୍ଗେ ସଙ୍ଗେ ପହଞ୍ଚି ୨ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତତାତୀୟମାନେ ସୁନୀ ଉଗ୍ରବାଦୀ ବୋଲି । ଦେଶରେ ଏବେ ଅରାଜକତା ଓ ବିଦ୍ରୋହ ସୃଷ୍ଟି ହୋଇଥିବା ବେଳେ ଏହାର ଫାଇଦା ଉଠାଇ ସେମାନେ ଏପରି ନାରକୀୟ କାଣ୍ଡ ଘଟାଇଥିବା ସୂଚନାମିଳିଛି। ଇରାନରେ ପ୍ରାୟ ଦେଢ ମାସ ହେବ ଅରାଜକତା ସୃଷ୍ଟି ହୋଇଛି। ହିଜାବକୁ ଠିକ୍‌ ଭାବେ ପିନ୍ଧି ନ ଥିବା କାରଣରୁ ଇରାନର ଧାର୍ମିକ ପୁଲିସ୍‌ ୨୨ ବର୍ଷୀୟା ଇରାନ ଯୁବତୀ ମହସା ଆମିନୀଙ୍କୁ ସେପ୍ଟେମ୍ବରରେ ଗିରଫ କରିଥିଲା। ଏହାପରେ ପୁଲିସ୍‌ ହେପାଜତରେ ଉକ୍ତ ମାସ ୧୬ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଇରାନ ସରକାରକୁ ଦୋହଲାଇ ଦେଇଛି। ଏପରିକି ଇରାନ ସରକାରଙ୍କ ଏହି ନୀତିକୁ ଦେଶ ବିଦେଶରେ ବି ସମାଲୋଚନା କରାଯାଉଛି। ଆମିନୀଙ୍କ ଅନ୍ତିମ ସଂସ୍କାର ସମୟରେ ଦେଶବାସୀଙ୍କ ମଧ୍ୟରେ ଥିବା କ୍ରୋଧ ଉଗ୍ର ରୂପ ଧାରଣ କଲା ଓ ସେମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିଥିଲେ। ଏପରିକି ଆମିନୀଙ୍କୁ ନ୍ୟାୟ ଦାବିରେ ମୁସଲିମ ଯୁବତୀମାନେ ନିଜ ହିଜାବକୁ ପୋଡ଼ି ଦେଇଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଏହା ଇରାନର ସବୁଠୁ ବଡ଼ ସରକାର ବିରୋଧୀ ଆନ୍ଦୋଳନ ବୋଲି ଚର୍ଚ୍ଚା ହେଉଛି। ହିଜାବ ପିନ୍ଧିବାକୁ ନେଇ ଲାଗୁ ହୋଇଥିବା କଠୋର ନିୟମକୁ ବିରୋଧ କରି ଦେଶର ହଜାର ହଜାର ସଂଖ୍ୟାରେ ମହିଳାଙ୍କ ସାଧାରଣ ଲୋକ ବି ରାସ୍ତାକୁ ଓହ୍ଲାଇଛନ୍ତି। ଦେଶରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହାର ଫାଇଦା ଉଠାଇ ଏହି ବନ୍ଧୁକଧାରୀମାନେ ଏପରି ନରସଂହାର କରିଥିବା ସୂଚନାମିଳିଛି।

Show More

Related Articles

Back to top button