ଦେଶ ବିଦେଶ

ନିଜ ଦେଶକୁ ଫେରିବେ ନୱାଜ ସରିଫ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୪ ବର୍ଷ ପରେ ଆଜି ନିଜ ଦେଶକୁ ଫେରିବେ । ଗତ ୪ ବର୍ଷ ଧରି ସେ ଲଣ୍ଡନରେ ରହୁଥିଲେ । ପାକିସ୍ତାନରେ ପହଞ୍ଚିବାପରେ ସର୍ବପ୍ରଥମେ ସେ ଇସଲାମବାଦ ଆସିବେ । ସେଠାରେ ୨ ଘଣ୍ଟା ରହିବା ପରେ ସେ ଲାହୋର ଯିବେ । ଇସଲାମବାଦ ହାଇକୋର୍ଟ ୨ ଦିନ ପୂର୍ବରୁ ନୱାଜ ସରିଫଙ୍କ ପାକିସ୍ତାନ ଫେରିିବାର ରାସ୍ତା ସଫା କରି ଦେଇଥିଲେ । ୨ଟି ଭ୍ରଷ୍ଟାଚାର ମାମଲାରେ କୋର୍ଟ ତାଙ୍କୁ ସୁରକ୍ଷାତ୍ମକ ଜାମିନ ପ୍ରଦାନ କରିଥିଲେ । ସେହିପରି ଅନ୍ୟ ଏକ ମାମଲାରେ ଜାରି ଗିରଫ ୱାରେଣ୍ଟକୁ କୋର୍ଟ ରଦ୍ଦ କରି ଦେଇଥିଲେ । ୨୦୧୯ରେ ନୱାଜ ସରିଫ ଜାମିନରେ ଜେଲ୍‌ରୁ ଛୁଟି ପାଇଥିଲେ । ଏହାପରେ ସେ ପାକିସ୍ତାନ ଛାଡି ବ୍ରିଟେନ ଚାଲିଯାଇଥିଲେ । ପରେ ବହୁଥର ଖବର ଆସିଥିଲା କି ସେ ଦେଶକୁ ଫେରିବେ ଓ ତାଙ୍କୁ ପୁଣି ଗିରଫ କରି ନିଆଯିବ । କିନ୍ତୁ ଏହା ଗୁଜବ ଥିଲା । ମିଳିଥିବା ସୂଚନା ଅନୁସାରେ ସେ ଆଜି ଦେଶକୁ ଫେରି ଲାହୋର ସ୍ଥିତ ମୀନାର ଏ ପାକିସ୍ତାନ ଠାରେ ନିଜର ପାର୍ଟି ପାକିସ୍ତାନ ମୁସଲିମ୍ ଲିଗ୍ ନବାଜ(ପିଏମଏଲ୍‌-ଏନ୍‌) ଦ୍ୱାରା ଆୟୋଜିତ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବେ । ତେବେ ପଞ୍ଜାବର ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଶନିବାର (ପିଏମଏଲ୍‌-ଏନ୍‌)ର ସର୍ବୋଚ୍ଚ ନେତା ୭୩ ବର୍ଷୀୟ ନୱାଜ ସରିଫ ମୀନାର-ଏ ପାକିସ୍ତାନ ରାଲିରେ ଭାଗ ନେବାକୁ ଆସୁଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ସୁରକ୍ଷା ଏଜେନ୍ସୀ ପକ୍ଷରୁ ବିପଦର ସୂଚନା ମିଳିବା ପରେ ପଞ୍ଜାବ ପୋଲିସକୁ ହାଇଆଲର୍ଟ କରିଦିଆଯାଇଛି । ତେବେ ପାକିସ୍ତାନରେ ୩ ଥର ପ୍ରଧାନମନ୍ତ୍ରୀ ରହିଥିବା ନୱାଜ ସରିଫଙ୍କ ସାନ ଭାଇ ତଥା (ପିଏମଏଲ୍‌-ଏନ୍‌) ଅଧ୍ୟକ୍ଷ ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ସ୍ୱାଗତ କରାଯିବ ବୋଲି କହିଛନ୍ତି ।

Show More

Related Articles

Back to top button