ନିଜେ କୋର୍ଟକୁ ନଆସି ବଦଳରେ ଜୁନିୟର ଓକିଲଙ୍କୁ ପଠାଇବା କାରଣରୁ ଫାଇନ୍ ଦେଲେ ଓକିଲ

ଗତ ଗୁରୁବାର ଦିନ ଜଣେ ଓକିଲଙ୍କୁ ଏକ ମାମଲା ସ୍ଥଗିତାଦେଶ ପାଇଁ ଜଣେ ଅପ୍ରସ୍ତୁତ” ଜୁନିଅରଙ୍କୁ ପଠାଇବା କାରଣରୁ ବିଚାରପତି ସମ୍ପୃକ୍ତ ଓକିଲଙ୍କ ଉପରେ ୨,୦୦୦ ଟଙ୍କାର ଜୋରିମାନା ଲଗାଇଛନ୍ତି । ସୂଚନା ଅନୁସାରେ ମୁଖ୍ୟ ଓକିଲ ଜଣକ କୋର୍ଟ ନଆସି ତାଙ୍କ ସ୍ଥାନରେ ଜଣେ ଜୁନିଅର ଓକିଲଙ୍କୁ ପଠାଇଥିଲେ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ଜୁନିଅର ଜଣଙ୍କ ମୁଖ୍ୟ ଓକିଲ ଉପସ୍ଥିତ ନଥିବାରୁ ମାମଲାର ଶୁଣାଣି ଘୁଞ୍ଚାଇବାକୁ କହିଥିଲେ । ଏହାର ଉତ୍ତରରେ ବିଚାରପତି କହିଥିଲେ ଯେ ତୁମେ ଆମକୁ ଏପରି ଶସ୍ତାରେ ନେଇ ପାରିବ ନାହିଁ । କୋର୍ଟର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଅଟେ । ଆପଣ ନିଜର ପକ୍ଷ ରଖିବା ଆରମ୍ଭ କରନ୍ତୁ ବୋଲି ବିଚାରପତି ପିଏସ୍ ନରସିହ୍ମା ଏବଂ ମନୋଜ ମିଶ୍ର କହିଥିଲେ । ଏହାପରେ ଜୁନିଅର ଓକିଲ ଜଣକ କହିଥିଲେ କି ସେ ମାମଲା ବିଷୟରେ ଅବଗତ ନାହାନ୍ତି ଏବଂ ପକ୍ଷ ରଖିବାକୁ ମଧ୍ୟ ତାଙ୍କୁ କୁହାଯାଇ ନାହିଁ ।ଏଥିରେ ବିରକ୍ତ ହୋଇ ବିଚାରପତି କହିଥିଲେ ଯେ, ସମ୍ବିଧାନରୁ ମିଳିଥିବା ଦାୟିତ୍ୱ ଅନୁଯାୟୀ ଆମକୁ ମାମଲାର ଶୁଣାଣି କରିବାକୁ ପଡ଼ିବ । ଦୟାକରି ତୁମେ ତୁମର ବରିଷ୍ଠ ଓକିଲଙ୍କୁ ଡାକ ଅଥବା ତୁରନ୍ତ ନିଜର ପକ୍ଷ ରଖ । ପରେ ମୁଖ୍ୟ ଓକିଲ ଜଣକ ଭିଡିଓ କନ୍ଫରେନ୍ସୀ ମାଧ୍ୟମରେ ଉପସ୍ଥିତ ହୋଇ ବିଚାରପତିଙ୍କ କ୍ଷମା ପ୍ରାର୍ଥନା କରିଥିଲେ । ବିଚାରପତି ଏହି ସମୟରେ ପଚାରିଥିଲେ କି ସେ କଣ ପାଇଁ ଡକ୍ୟୁମେଣ୍ଟ ବିନା ଏବଂ ମାମଲା ବିଷୟରେ କୌଣସି ସୂଚନା ନଦେଇ ତାଙ୍କର ଜୁନିଅରକୁ ପଠାଇଥିଲେ । ଯେତେବେଳେ ଆମେ ସ୍ଥଗିତାଦେଶ ଦେବାକୁ ମନା କରିଥିଲୁ, ରେକର୍ଡରେ ଥିବା ଆଡଭୋକେଟ୍ ହାଜର ହୋଇଥିଲେ । ମାମଲା ଏହିପରି କରାଯାଇପାରିବ ନାହିଁ । ଏହା ଉଭୟ କୋଟ ଏବଂ ଜୁନିଅରଙ୍କୁ ଗୁରୁତ୍ୱ ନଦେଲା ପରି ମନେ ହେଉଛି । ତେବେ ଏଥିପାଇଁ ସମ୍ପୃକ୍ତ ଓକିଲଙ୍କ ଉପରେ ଖଣ୍ଡପୀଠ ୨୦୦୦ ଟଙ୍କାର ଜୋରିମାନା ଲାଗୁ କରିବା ସହ ଏହାକୁ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ରେ ଜମା କରିବାକୁ କହିଥିଲେ ।