Breaking PLUSଓଡ଼ିଶାମୁଖ୍ୟ ଖବର

ନନ୍ଦନ କାନନରେ ନୂଆ ଅତିଥି

ଦୀର୍ଘ ୯ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକମାନେ କାସ୍‌ୱାରି ପକ୍ଷୀ ଦେଖିବାକୁ ପାଇବେ। ହାଇଦ୍ରାବାଦରୁ ନନ୍ଦନକାନନ କର୍ତ୍ତୃପକ୍ଷ ହଳେ କାସ୍‌ୱାରି ପକ୍ଷୀ ଆଣିଛନ୍ତି। ଏବେ ସେମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଛି ଏବଂ ପରେ ସେମାନଙ୍କୁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ। ତେବେ ୨୦୦୦ ମସିହା ବେଳକୁ ଏଠାରେ ୨ଟି ମାଈ କାସ୍‌ୱାରି ପକ୍ଷୀ ଥିଲେ। ସୂଚନା ଅନୁସାରେ ୨୦୧୩ ଅକ୍ଟୋବର ୧୮ରେ ଗୋଟିଏ ଓ ୨୦୧୪ ନଭେମ୍ବର ୬ରେ ଅନ୍ୟଟିର ମୃତ୍ୟୁ ହୋଇଥିଲା। ସେବେଠୁ ପର୍ଯ୍ୟଟକମାନେ ନନ୍ଦନକାନନରେ କାସ୍‌ୱାରି ଦେଖିପାରୁନଥିଲେ। ଗ୍ରୀଷ୍ମ ମଣ୍ଡଳ ଜଳବାୟୁ ଅଞ୍ଚଳ ଯଥା ପପୁଆ ନିୟୁ ଗୁଏନା, ଅଉରା ଆଇସ୍‌ଲାଣ୍ଡ(ମାଲୁକା) ଓ ଉତ୍ତର-ପୂର୍ବ ଅଷ୍ଟ୍ରେଲିଆ ଅଞ୍ଚଳରେ ଏଭଳି ପକ୍ଷୀ ଦେଖିବାକୁ ମିଳନ୍ତି। ଏମାନେ ତୃଣ, ପତ୍ର ଓ ବିଭିନ୍ନ ଫଳର ମଞ୍ଜି ଖାଇବା ସହ ମୂଷା, ଏଣ୍ଡୁଅ, କୀଟପତଙ୍ଗ ଆଦି ଆହାର କରନ୍ତି। ହେଲେ ଡେଣା ନ ଥିବାରୁ ଏମାନେ ଉଡ଼ିପାରନ୍ତି ନାହିଁ। ଏମାନଙ୍କର ବେକ ଲମ୍ବା ହୋଇଥିବା ବେଳେ ବେକଠାରୁ ମୁଣ୍ଡ ପର୍ଯ୍ୟନ୍ତ ଆକର୍ଷଣୀୟ ନାଲି ପକ୍ଷୀ ଥାଏ। ଏଥି ସହ ମୁଣ୍ଡ ଉପରେ ଚୂଳ ଓ ବେକ ତଳେ ଟାଇ ସଦୃଶ ପକ୍ଷୀ ମଧ୍ୟ ଓହଳି ରହିଥାଏ। ଏମାନଙ୍କର ଲମ୍ବା ଗୋଡ଼ ବେଶ୍‌ ଶକ୍ତ ଏବଂ ନଖ ଆକ୍ରମଣ ସମୟରେ ଆୟୁଧ ସଦୃଶ କାମ କରିଥାଏ। ଏମାନେ ମଣିଷକୁ ଆକ୍ରମଣ କରି ମାରିଦେବା ଉଦାହରଣ ରହିଛି। ତେବେ ମେ ଓ ଜୁନ୍ ଏମାନଙ୍କର ମିଳନ ସମୟ। ମାଈ ଥରକୁ ୮ଟି ପର୍ଯ୍ୟନ୍ତ ବଡ଼ ଅଣ୍ଡା ଦାନ କରିଥାଏ। ଅଣ୍ଡାର ବର୍ଣ୍ଣ ଉଜ୍ଜ୍ବଳ ନୀଳ କିମ୍ୱା ପତ୍ର ରଙ୍ଗ ମିଶା ହୋଇଥାଏ। ଆଉ ଏହି ଅଣ୍ଡା ୫୦ରୁ ୫୨ ଦିନ ଭିତରେ ଫୁଟିଥାଏ। ଫଳ ର ଏହି ହଳକ ପକ୍ଷୀରୁ ବଂଶବୃଦ୍ଧି ହେବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି। କେବଳ ଏତିକି ନୁହେଁ ଏମାନଙ୍କ ଆୟୁ ହାରାହାରି ୨୦ରୁ ୪୦ ବର୍ଷ ହୋଇଥିବା ବେଳେ ସର୍ବାଧିକ ଓଜନ ୯୦ କେଜି ଓ ୬ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହୋଇଥାଆନ୍ତି।

Show More

Related Articles

Back to top button